ଏଇ ଭାରତରେ

ଏମିତି ହାତ ଯେଉଁଥିରେ କାଠ ବି ଜୀବନ୍ତ ରୂପ ନେଉଛି। କାଠରେ ନିଖୁଣ ଭାବେ ବିଭିନ୍ନ ମୂର୍ତ୍ତି ଖୋଦେଇକରି ଏବେ ଦେଶ କାହିଁକି ବିଶ୍ୱରେ ସୁଖ୍ୟାତି ପାଇଛନ୍ତି କଶ୍ମୀରର ମହମ୍ମଦ ୟୁସୁଫ ମୁରାନ। ଏମିତି କି ତାଙ୍କ ଦ୍ୱାରା ନିର୍ମିତ ଜିନିଷ ଲକ୍ଷାଧିକ ଟଙ୍କାରେ ବିକ୍ରି ହେଉଛି। ବଡ଼ କଥା ହେଉଛି ମୁରାନ ଜଣେ ମୂକ ଓ ବଧିର। ରହୁଛନ୍ତି କେନ୍ଦ୍ରୀୟ କଶ୍ମୀରର ବଡ଼ଗାଁଓରେ। ତାଙ୍କୁ ଏବେ ବୟସ ୫୫। ଏହି କଳା ସେ ପ୍ରଥମେ ପିତା ଓ ପରେ ବଡ଼ଭାଇଙ୍କଠାରୁ ଶିକ୍ଷା କରିଛନ୍ତି। କାଠ ତିଆରି କଶ୍ମୀର ହୁକାର ଦାମ ୮୦,୦୦୦ ଟଙ୍କା ରହିବାବେଳେ ସେଣ୍ଟ ଜର୍ଜ ଅଫ୍‌ ଲିଡା ତିଆରି କରିବା ଲାଗି ୫ ବର୍ଷ ଲାଗିଛି ଓ ଏହାର ମୂଲ୍ୟ ରହିଛି ୬.୫ ଲକ୍ଷ ଟଙ୍କା। ୨୦୦ ବର୍ଷ ହେଲା ପିଢ଼ି ପରେ ପିଢ଼ି ତାଙ୍କ ପରିବାର ଏହି କାର୍ଯ୍ୟ କରିଆସୁଛନ୍ତି। କିନ୍ତୁ ମୁରାନ ଏହି କଳାକୁ ବର୍ତ୍ତମାନ ଏକ ଭିନ୍ନ ସ୍ତରରେ ପହଞ୍ଚାଇବାରେ ସକ୍ଷମ ହୋଇଛନ୍ତି। ଅଫ୍‌ଲାଇନ ଓ ଅନ୍‌ଲାଇନରେ ତାଙ୍କ ନିକଟକୁ ଏବେ ଦେଶ ବିଦେଶରୁ ବହୁ ଅର୍ଡର ଆସୁଛି। ଆରବ ଏବଂ ୟୁରୋପୀୟ ଦେଶଗୁଡ଼ିକରୁ ଅଧିକାଂଶ ଅର୍ଡର ମିଳୁଛି।