ଏଇ ଭାରତରେ

ବିନା ଡ୍ରାଇଭର୍‌ରେ ଚାଲିବ ଟ୍ରାକ୍ଟର। ରାଜସ୍ଥାନ ବାରନ ଜିଲାର ବମୋରିକଲା ଗାଁରେ ଯୋଗେଶ ନାଗରଙ୍କ ଦ୍ୱାରା ଆବିଷ୍କୃତି ରିମୋଟ୍‌ରେ ଏହା ସମ୍ଭବ ହୋଇଛି। ଏହି ରିମୋଟ୍‌ରେ ଦୂରରେ ରହି ଟ୍ରାକ୍ଟରକୁ ସହଜରେ ଚଲାଯାଉଛି। ଯୋଗେଶ ସପ୍ତମ ଶ୍ରେଣୀରେ ପଢ଼ିବା ବେଳୁ ତାଙ୍କ ଆବିଷ୍କାର ଯାତ୍ରା ଆରମ୍ଭ କରିଛନ୍ତି। ଏବେ ସେ ବି.ଏସ୍‌ସି. ପ୍ରଥମ ବର୍ଷ ଛାତ୍ର। ଯୋଗେଶଙ୍କ ପିତା ଜଣେ କୃଷକ । ଦିନରାତି ଟ୍ରାକ୍ଟର ଚଲାଇବା ଫଳରେ ତାଙ୍କ ପିତାଙ୍କ ଦେହ ଅସୁସ୍ଥ ହେବା ପରେ ତାଙ୍କୁ ଏଥିରୁ ନିବୃତ୍ତ କରିବା ପାଇଁ ଏଭଳି ରିମୋଟ୍‌ ତିଆରି କରିବାକୁ ଯୋଗେଶ ନିଷ୍ପତ୍ତି ନେଇଥିଲେ। ଟ୍ରାକ୍ଟରର ସବୁ ଭାଗକୁ ନିରୀକ୍ଷଣ କରି ପିତାଙ୍କଠାରୁ ୫୦,୦୦୦ ଟଙ୍କା ନେଇ ସେ କାମ ଆରମ୍ଭ କରିଥିଲେ । ରିମୋଟ୍‌ରେ ଟ୍ରାକ୍ଟରର ଷ୍ଟିଅରିଂ, କ୍ଲଜ୍‌, ବ୍ରେକ୍‌ ଏବଂ ଗିୟର ଭଳି ଷ୍ଟ୍ରକ୍‌ଚର ରହିଛି। ଏଣୁ ଏହାକୁ କୃଷକମାନେ ଚଲାଇବାରେ କୌଣସି ଅସୁବିଧା ହେବ ନାହିଁ ବୋଲି କହନ୍ତି ଯୋଗେଶ। ରିମୋଟ୍‌ର ପରୀକ୍ଷା କରାଯାଇଛି ଓ ସଫଳତା ବି ମିଳିଛି। ଏବେ ୫୦ରୁ ୬୦ କୃଷକ ଏଭଳି ରିମୋଟ୍‌ ପାଇଁ ଯୋଗେଶଙ୍କୁ ଅନୁରୋଧ କରିଛନ୍ତି। ଯୋଗେଶ କହନ୍ତି, ରିମୋଟ୍‌ ଉପରେ ଯଦି ଅଧିକ ଗବେଷଣା କରାଯାଏ, ତେବେ ଏହାକୁ ୩୦ ହଜାର ଟଙ୍କାରେ ବି ନିର୍ମାଣ କରାଯାଇପାରିବ। ଏବେ ସୁଦ୍ଧା ସେ ଏହାକୁ ନେଇ ଛୋଟ ବଡ଼ ବିଭିନ୍ନ ପ୍ରକାରର ୩୦ଟି ଆବିଷ୍କାର କରିସାରିଛନ୍ତି।