ଏଇ ଭାରତରେ

ପରିବେଶକୁ ଭଲପାଉଥିବା ଲକ୍ଷ୍ମୀକୁଟ୍ଟି ଆମ୍ମା ଏକାଧାରରେ ଜଣେ ଶିକ୍ଷକ, କବି ଓ ଚିକିତ୍ସକ। କେରଳର ପୋନମୁଣ୍ଡି ନିକଟସ୍ଥ କଲ୍ଲାର ଜଙ୍ଗଲ ମଧ୍ୟରେ ରହନ୍ତି ଲକ୍ଷ୍ମୀକୁଟ୍ଟି। ସେ ବିଷଧର ସାପ ଦଂଶନରୁ ଲୋକମାନଙ୍କ ଜୀବନ ରକ୍ଷା କରୁଛନ୍ତି। ଏଯାବତ ସେ ୩୫୦ ଜଣଙ୍କ ଜୀବନ ରକ୍ଷା କରିସାରିଲେଣି। କେବଳ ଏତିକି ନୁହେଁ ଲକ୍ଷ୍ମୀକୁଟ୍ଟି ୧୫୦ ପ୍ରକାର ଔଷଧୀୟ ବୃକ୍ଷର ଯତ୍ନ ନେଉଛନ୍ତି। ୭୦ ବର୍ଷ ବୟସ ପାର କରିଯାଇଥିଲେ ମଧ୍ୟ ସେ ସକାଳ ୫ଟାରେ ଉଠି ଔଷଧୀୟ ବୃକ୍ଷ ଉପରେ ଗବେଷଣା ଜାରିରଖନ୍ତି। ଏହି ସବୁ କାର୍ଯ୍ୟ ଲାଗି ତାଙ୍କୁ ଲୋକେ ‘ବନ ମୁଥାସି’ ବା ‘ଜଙ୍ଗଲର ଆଈମା’ ବୋଲି ସମ୍ବୋଧନ କରନ୍ତି। ୫ ଦଶନ୍ଧି ହେଲା ସେ ସାପକାମୁଡ଼ା ଲାଗି ପାରମ୍ପରିକ ଔଷଧ ଦେବା ସହ ନୂତନ ପିଢିଙ୍କୁ ଚିକିତ୍ସାର ଧାରା ସମ୍ପର୍କରେ ଶିକ୍ଷା ଦେଉଛନ୍ତି। ଏହି ଚିକିତ୍ସା ପଦ୍ଧତି ସେ ତାଙ୍କ ମା’ଙ୍କଠାରୁ ଶିକ୍ଷା କରିଥିଲେ। ସେ ଜଙ୍ଗଲରେ ସାପ ଓ ଅନ୍ୟ ବନ୍ୟଜନ୍ତୁଙ୍କ ସହ ରହୁଥିବାରୁ ତାଙ୍କୁ କେବେ ବି ସାପ କାମୁଡ଼ି ନାହାନ୍ତି ବୋଲି କହନ୍ତି ଲକ୍ଷ୍ମୀକୁଟ୍ଟି। ସେ ବହୁ ଉଚ୍ଚକୋଟୀର କବିତା ରଚନା କରିଛନ୍ତି ଓ କେରଳ ଫକ୍‌ଲୋରେ ଏକାଡେମିରେ ଲୋକ କଳା ଓ ସାହିତ୍ୟ ସମ୍ପର୍କରେ ଶିକ୍ଷା ଦେଉଛନ୍ତି।