ଏଇ ଭାରତରେ

ପୀର ରାମ ବିଷ୍ଣୋଇ ଜଣେ ମେକାନିକ୍‌। ଜାତୀୟ ରାଜପଥ-୬୫ କଡରେ ପଙ୍କ୍‌ଚର ରିପେୟାରିଂ ଦୋକାନ କରିଛନ୍ତି। ରାଜସ୍ଥାନ ଜୟପୁର ଜିଲାର ଧମାନା ଗାଁର ଏହି ସାଧାରଣ ବ୍ୟକ୍ତି କିଛି ଅସାଧାରଣ କାର୍ଯ୍ୟ କରି ଉଦାହରଣ ସୃଷ୍ଟି କରିପାରିଛନ୍ତି। ଗତ ଦଶନ୍ଧିରେ ଆହତ ଏବଂ ଯନ୍ତ୍ରଣା ଭୋଗୁଥିବା ୧,୧୮୦ ବନ୍ୟଜନ୍ତୁଙ୍କ ଜୀବନ ରକ୍ଷା କରିପାରିଛନ୍ତି ବିଷ୍ଣୋଇ। ସେ ପ୍ରଥମେ ଏକ ଆହତ ଚିଙ୍କାରାରୁ ତାଙ୍କ ସେବା ଆରମ୍ଭ କରିଥିଲେ । ପରେ ବିଭିନ୍ନ କାରଣରୁ ଯନ୍ତ୍ରଣା ଭୋଗୁଥିବା ବନ୍ୟପଶୁ ଓ ପକ୍ଷୀଙ୍କୁ ଉଦ୍ଧାର କରି ଚିକିତ୍ସା କରିବା ଆରମ୍ଭ କରିଥିଲେ। ୧୨ ବର୍ଷ ହେବ ସେ ଏହି କାର୍ଯ୍ୟ କରି ଆସୁଛନ୍ତି। ଏହି କାର୍ଯ୍ୟରେ ତାଙ୍କ ପରିବାର ସହଯୋଗ କରୁଛନ୍ତି। ପ୍ରାଣୀମାନଙ୍କ ଚିକିତ୍ସା ଖର୍ଚ୍ଚ ସେ ସବୁ ନିଜେ ବହନ କରୁଛନ୍ତି। ଆଖପାଖ ଗାଁରେ କୌଣସି ପଶୁ କିମ୍ବା ପକ୍ଷୀ ଆହତ ହେଲେ ତାଙ୍କ ଘର ନିକଟସ୍ଥ ଫାର୍ମକୁ ଆଣିବାକୁ କହିଛନ୍ତି। ତାଙ୍କର ଏହି କାର୍ଯ୍ୟରେ କେତେଜଣ ସ୍ବେଚ୍ଛାସେବୀ ଅନୁପ୍ରାଣିତ ହୋଇ ବିଷ୍ଣୋଇଙ୍କୁ ସାହାଯ୍ୟ କରୁଛନ୍ତି। ସେ ମଧ୍ୟ ଶିକାରୀମାନଙ୍କ ବିରୋଧରେ ଅଭିଯାନ ଚଳାଇଛନ୍ତି।