ଏଇ ଭାରତରେ

ଭୋକିଲାଙ୍କ ପେଟ ଚିନ୍ତା ଥିଲା ଅହମଦାବାଦର ମଞ୍ଜୁଳାବେନ୍‌ଙ୍କର। ତାଙ୍କ ଆଖପାଖରେ କେହି କ୍ଷୁଧା ଜୀବନ ବିତାନ୍ତୁ, ଏହା ସେ ଚାହଁୁ ନ ଥିଲେ। ସେଥିପାଇଁ ସକାଳ ହେବା କ୍ଷଣି ରୋଷେଇ କରି ସେମାନଙ୍କୁ ଖାଦ୍ୟ ଯୋଗାଉଥିଲେ। ମଞ୍ଜୁଳାଙ୍କ ଦେହାନ୍ତ ପରେ ଏବେ ତାଙ୍କ ପୁଅ ମୟୂର ଓ ବୋହୂ ପ୍ରଣାଳୀ କମଦର ଏହି କାର୍ଯ୍ୟ କରୁଛନ୍ତି। ଉକ୍ତ ଦମ୍ପତି ବସ୍ତିର ଶହ ଶହ ପିଲା ଓ ବୟସ୍କଙ୍କ ପାଇଁ ଦୁଇବେଳା ରୋଷେଇ କରି ସେମାନଙ୍କ ନିକଟରେ ପହଞ୍ଚାଉଛନ୍ତି। ରୋଷେଇ ଶେଷହେବା କ୍ଷଣି ମୟୂର ଓ ପ୍ରଣାଳୀ ଟ୍ରକ୍‌ରେ ଖାଦ୍ୟ ନେଉଛନ୍ତି। ଏହି କାର୍ଯ୍ୟ ସେମାନେ ‘ମଞ୍ଜୁବା କି ରୋଷେଇ’ ନାମରେ ଚଳାଉଛନ୍ତି ଓ ଟ୍ରକ୍‌ର ନାମ ଦେଇଛନ୍ତି ‘ମଞ୍ଜୁବା କି ରୋଷେଇ ଫୁଡ୍‌’ ଟ୍ରକ। ଲକ୍‌ଡାଉନ୍‌ ସମୟରେ ଏହି ସେବା ସାମୟିକ ଭାବେ ସ୍ଥଗିତ ରହିଥିଲା। ଏବେ ସେମାନେ ପୁଣି ଆରମ୍ଭ କରିଦେଇଛନ୍ତି। ପ୍ରତିଦିନ ୩୦୦ ଲୋକଙ୍କ ପାଇଁ ଖାଦ୍ୟ ଘରେ ପ୍ରସ୍ତୁତ କରୁଛନ୍ତି। ଏହା ବ୍ୟତୀତ ସେମାନେ ଟ୍ରକ୍‌ରେ ମଧ୍ୟ ଏକ ଛୋଟ ରୋଷେଇଘର କରିଛନ୍ତି।