ଏଇ ଭାରତରେ

ପୋଲିସ ସେବା ଭଳି କଠୋର ଦାୟିତ୍ୱ ମଧ୍ୟରୁ ସମୟ ବାହାର କରି ପିଲାମାନଙ୍କୁ ପଢ଼ାଇବା କିଛି କମ୍‌ କଥା ନୁହେଁ। ଏଭଳି କାର୍ଯ୍ୟ କରି ଅଯୋଧ୍ୟାରେ ଜଣେ ପୋଲିସ ଇନ୍ସପେକ୍ଟର ରଣଜିତ ସିଂ ଯାଦବ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି। ଯାଦବ ବସ୍ତିର ପିଲାମାନଙ୍କୁ ମାଗଣାରେ ପଢ଼ାଉଛନ୍ତି। ତେବେ ଦୁଇ ଶିଫ୍ଟ କାମ କରି ଏହି ଅଭିଯାନ ଚଳାଇବା ତାଙ୍କ ପାଇଁ କଷ୍ଟକର ହେଲେ ମଧ୍ୟ ତାଙ୍କ ପିଲାଦିନର ସଂଘର୍ଷମୟ ଜୀବନ ତାଙ୍କୁ ଏଥିପାଇଁ ପ୍ରେରିତ କରିଛି ବୋଲି କୁହନ୍ତି ରଣଜିତ। କୃଷକ ପରିବାରରେ ଜନ୍ମିତ ରଣଜିତ ପିଲାଦିନେ ବହୁ କଷ୍ଟ କରିଛନ୍ତି। କ୍ଷେତରେ କାମ କରିବା ସହ ତାଙ୍କୁ ପଢ଼ିବାକୁ ପଡ଼ିଛି ଓ ସେଥିରେ ସେ ସଫଳ ହୋଇ ପୋଲିସ ଚାକିରି କରିଛନ୍ତି। ଏଣୁ ଅଯୋଧ୍ୟାର ଘାଟଗୁଡ଼ିକର ବସ୍ତିରେ ରହୁଥିବା ପିଲାମାନଙ୍କ ସ୍ଥିତିକୁ ସେ ଭଲ ଭାବେ ଅନୁଭବ କରି ଏହି ଅଭିଯାନ ଚଳାଇଛନ୍ତି ଓ ପୋଲିସ ଦାୟିତ୍ୱରେ ଶାନ୍ତିଶୃଙ୍ଖଳା ରକ୍ଷା କରିବା ସହ ପିଲାଙ୍କ ପାଇଁ ଶିକ୍ଷାର ବର୍ତ୍ତିକା ସାଜିଛନ୍ତି। ସେ ତାଙ୍କ ଶିକ୍ଷା ଅଭିଯାନର ନାମ ରଖିଛନ୍ତି ‘ଆପନା ସ୍କୁଲ’। ଅଯୋଧ୍ୟା ଘାଟରେ ଚାଲିଥିବା ଏହି ସ୍କୁଲର ଶିକ୍ଷକ ରଣଜିତଙ୍କୁ ଲୋକେ ‘ଖାକି ଓ୍ବାଲେ ଗୁରୁଜୀ’ ବୋଲି ସମ୍ବୋଧନ କରୁଛନ୍ତି।