ଏଇ ଭାରତରେ

କପ୍‌ରେ ଚା’ପିଇବେ ଓ ତାହାକୁ ଚୋବାଇ ଖାଇବେ। ଏହା ଅଜବ ଲାଗୁଥିଲେ ବି ସତ। ପୁନିତ୍‌ ଦତ୍ତଙ୍କ ଦ୍ୱାରା ଏଭଳି ଚା’ କପ୍‌ ତିଆରି କରାଯାଉଛି। ଉକ୍ତ ଏଡିବଲ୍‌ ବା ଖାଇବାଯୋଗ୍ୟ କପ୍‌ ବ୍ୟବହାର ଯୋଗୁ ସିଙ୍ଗଲ ୟୁଜ୍‌ଡ ପ୍ଲାଷ୍ଟିକ୍‌ କପ୍‌ ବ୍ୟବହାର କମୁଛି। ଫଳରେ ପ୍ରଦୂଷଣ ରୋକିିବାରେ ଏହି ଚା’ କପ୍‌ର ଭୂମିକା ରହିଛି। ଅନ୍ୟପକ୍ଷରେ କାଚ ଗ୍ଲାସ୍‌ରେ ଚା’ ପିଇ ତାହାକୁ ଧୋଇବାରେ ବ୍ୟବହାର କରାଯାଉଥିବା ପାଣି ମଧ୍ୟ ବଞ୍ଚାଯାଇପାରୁଛି। ଗୋଟିଏ ଅଭିନବତ୍ୱରେ ଦୁଇ ପ୍ରକାର ଉପକାର ପରିବେଶକୁ ମିଳିପାରୁଛି। ପୁନିତ୍‌ ଦିଲ୍ଲୀସ୍ଥିତ ‘ଅଟାଓ୍ବେର ବାୟୋଡିଗ୍ରେଡବଲ ପ୍ରାଇଭେଟ ଲିମିଟେଡ’୍‌ ଦ୍ୱାରା ଏହି ଏଡିବଲ୍‌ କପ୍‌ ତିଆରି କରୁଛନ୍ତି। ଏହି କମ୍ପାନୀରେ କେବଳ ଚା’ କପ୍‌ ତିଆରି ହେଉ ନାହିଁ, ବରଂ ପ୍ଲେଟ, ଚାମଚ ଆଦି ତିଆରି ହେଉଛି। କପ୍‌ ତିଆରି କରିବା ଲାଗି ଗୁଡ଼, ମକା, ବାଜରା ଓ ଯଅ ଆଦି ବ୍ୟବହାର କରାଯାଉଛି। ଏହି କପ୍‌ରେ ଭାନିଲା, ଷ୍ଟ୍ରବେରି, ତୁଳସୀ, ଅଦା, ଅଳେଇଚ, ଲେମ୍ବୁ ଓ କଫି ସ୍ବାଦ ଦିଆଯାଉଛି। ଉକ୍ତ କମ୍ପାନୀ ପ୍ରତି ସପ୍ତାହରେ ୯.୫ ଲକ୍ଷ କପ୍‌ ବିକ୍ରି କରୁଛି ଓ ଏହା ୬ ମାସ ଯାଏ ରହୁଛି। ଏହି ସଂଖ୍ୟକ କପ୍‌ ଉପଯୋଗ ଦ୍ୱାରା ୩୫ ଲକ୍ଷ ଲିଟର ପାଣି ବଞ୍ଚିପାରୁଛି। ବଡ଼ କଥା ହେଉଛି ମହାମାରୀ ସମୟରେ ଏହିସବୁ ଜିନିଷ ତିଆରି କରିବା ଲାଗି ପୁନିତ୍‌ ତାଙ୍କ କମ୍ପାନୀ ମାଧ୍ୟମରେ ଶ୍ରମିକମାନଙ୍କୁ ୬,୦୦୦ ଦିନର କାମ ଯୋଗାଇବାକୁ ସକ୍ଷମ ହୋଇଛନ୍ତି।