ଏଇ ଭାରତରେ

ଅଭିନବ ଉପାୟରେ ନିଜସ୍ବ ଜ୍ଞାନ କୌଶଳରେ କମ୍‌ ସଂସାଧନ ଉପଯୋଗରେ ସ୍କ୍ରାପ୍‌ ଜିନିଷରୁ ଟର୍‌ବାଇନ ନିର୍ମାଣ କରି ବିଦ୍ୟୁତ ଉତ୍ପାଦନ କରୁଛନ୍ତି ଝାଡ଼ଖଣ୍ଡର କେଦାର ପ୍ରସାଦ ମହାତୋ। ଉତ୍ପାଦିତ ଶକ୍ତିରେ ତାଙ୍କ ଗାଁ ଘର, ରାସ୍ତା ଓ ମନ୍ଦିର ଆଲୋକିତ ହୋଇପାରିଛି। କେଦାର ତାଙ୍କ ଗାଁ ବେୟାଙ୍ଗ ନିକଟରେ ବହିଯାଉଥିବା ସିନେଗଡ଼ ନଦୀରେ ଏକ ୫ କିଲୋଓ୍ବାଟ ଜଳବିଦ୍ୟୁତ୍‌ ଉତ୍ପାଦନ ୟୁନିଟ୍‌ ନିର୍ମାଣ କରିଛନ୍ତି। ସେ ସ୍କ୍ରାପ୍‌ ଭେଣ୍ଡର୍‌ଙ୍କଠାରୁ ବହୁ ରଦ୍ଦି ଜିନିଷ ଓ ବୈଦ୍ୟୁତିକ ଉପକରଣ କିଣି ଏହି ପ୍ରୋଜେକ୍ଟରେ ବ୍ୟବହାର କରିଛନ୍ତି। ସବୁ ପାର୍ଟ ସେ ନିଜେ ତିଆରି କରିଛନ୍ତି। ଏଥିପାଇଁ ୩ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛିି। ନିଜସ୍ବ ରୋଜଗାରରୁ ସଞ୍ଚିତ ୨ ଲକ୍ଷ ଓ ଗ୍ରାମବାସୀ ଦେଇଥିବା ୧ ଲକ୍ଷ ଟଙ୍କା ଏହି ପ୍ରୋଜେକ୍ଟରେ ସେ ଲଗାଇଛନ୍ତି। କେଦାର ଏବେ ରାଜ୍ୟ ବିଦ୍ୟୁତ୍‌ ବିଭାଗରେ ଜଣେ ଇଲେକ୍ଟ୍ରିସିଆନ ଭାବେ କାର୍ଯ୍ୟ କରୁଛନ୍ତି। ଏହାବାଦ୍‌ ଅନ୍ୟ ସମୟରେ କଠିନ କାମ କରି ସେ ଏଥିପାଇଁ ଅର୍ଥ ସଞ୍ଚୟ କରିଛନ୍ତି। ନଦୀର ପାହାଡ଼ିଆ ଶଯ୍ୟାରେ ସିମେଣ୍ଟ ଖମ୍ବ ଓ ବନ୍ଧ ନିର୍ମାଣ କରି ୨୦୨୦ରେ ପ୍ରଥମେ ୩ କିଲୋଓ୍ବାଟ ଟର୍‌ବାଇନ, ଡାଇନାମୋ ଓ ମୋଟର ବ୍ୟବହାର କରି ବିଦ୍ୟୁତ ଉତ୍ପାଦନ ଆରମ୍ଭ କରିଥିଲେ। ଏବେ ୫ କିଲୋଓ୍ବାଟ ଟର୍‌ବାଇନ ନିର୍ମାଣ କରି ସେଥିରୁ ବିଦ୍ୟୁତ୍‌ ଉତ୍ପାଦନ କରୁଛନ୍ତି।