ଏଇ ଭାରତରେ

ନଦିମ୍‌ ଶେହେଜାଦ ଓ ମହମ୍ମଦ ସୌଦ ଦୀର୍ଘ ୨୦ ବର୍ଷ ମଧ୍ୟରେ ଦିଲ୍ଲୀର ବିଭିନ୍ନ ସ୍ଥାନରୁ ପାଖାପାଖି ୧୦୦ ପ୍ରଜାତିର ୨୩,୦୦୦ ପକ୍ଷୀଙ୍କୁ ଉଦ୍ଧାର କରିପାରିଛନ୍ତି। ସେମାନେ ତାଙ୍କ ଘରେ ଏକ ଅସ୍ଥାୟୀ କ୍ଲିନିକ ଖୋଲି ସେଠାରେ ପକ୍ଷୀଙ୍କୁ ଚିକିତ୍ସା କରୁଛନ୍ତି। ପକ୍ଷୀମାନେ ସୁସ୍ଥ ହେବା ପରେ ସେମାନଙ୍କୁ ଛାଡି ଦେଉଛନ୍ତି। କ୍ଲିନିକରେ ତାଙ୍କୁ ଜଣେ ପ୍ରାଣୀ ଚିକିତ୍ସକ ସହଯୋଗ କରୁଛନ୍ତି। ବିଶେଷ କରି ସେମାନେ ଗୁଡ଼ିଉଡା ସମୟରେ ବେଶି ପକ୍ଷୀ ଉଦ୍ଧାର କରିଥା’ନ୍ତି। କିନ୍ତୁ ୨୦୧୭ରେ ମାଞ୍ଜାସୂତା ଉପରେ କଟକଣା ଲାଗିବାପରେ ଅହତ ପକ୍ଷୀଙ୍କ ସଂଖ୍ୟା କମିଛି ବୋଲି କହନ୍ତି ସୌଦ। ଦୁଇ ଭାଇ ମାଟ୍ରିକ୍‌ ପାସ୍‌ ପରେ ଘରର ଆର୍ଥିକ ସ୍ଥିତି ଭଲ ନ ଥିବାରୁ ଆଉ ନ ପଢି ତାଙ୍କ ବାପାଙ୍କ ବାଥରୁମ୍‌ ଫିଟିଂ ଶପ୍‌ରେ କାମ କଲେ। ପରେ ପକ୍ଷୀ ଉଦ୍ଧାର କରିବା ସେମାନଙ୍କ ନିଶା ପାଲଟିଗଲା ଓ ଏଥିପାଇଁ ସେମାନେ ‘ଓ୍ବାଇଲ୍ଡ ଲାଇଫ ରେସ୍‌କ୍ୟୁ’ ଏନ୍‌ଜିଓ ଖୋଲିଛନ୍ତି। ପକ୍ଷୀମାନଙ୍କ ଚିକିତ୍ସା ପାଇଁ ସେମାନଙ୍କ ଆୟରୁ ଖର୍ଚ୍ଚ କରୁଛନ୍ତି। ଏବେ ତାଙ୍କୁ ବିଭିନ୍ନ ଉତ୍ସରୁ ଆର୍ଥିକ ସାହାଯ୍ୟ ମିଳୁଛି। ଏପରିକି ସରକାରଙ୍କ ସହଯୋଗରେ ସେମାନେ ଆମେରିକାରୁ ପକ୍ଷୀ ଉଦ୍ଧାର ସମ୍ପର୍କିତ ପ୍ରଶିକ୍ଷଣ ନେଇଛନ୍ତି।