ଏଇ ଭାରତରେ

ଦୀର୍ଘ ୨୦ ବର୍ଷ ହେଲା ନିଜ ରୋଜଗାରରୁ ଗରିବ ପରିବାରଗୁଡ଼ିକୁ ଆର୍ଥିକ ସହାୟତା ଯୋଗାଇ ଆସୁଛନ୍ତି କେରଳର କୋଡୁଙ୍ଗାଲାରୁ ନିବାସୀ ଶିନୋନ୍ଦ ପି.ସି. ଏବଂ ତାଙ୍କ ସ୍ତ୍ରୀ ବିନ୍ଦୁ। ପ୍ରତିମାସରେ ୧୫୦ଟି ଗରିବ ପରିବାରକୁ ସେମାନଙ୍କ ଆୟର ଏକ ସିଂହଭାଗ ‘ଓ୍ବେଲଫେୟାର ପେନ୍‌ସନ’ ଭାବେ ଦାନ କରୁଛନ୍ତି। ଏହାବାଦ୍‌ ସେମାନେ ନିଜ ଘରେ ଏକ ଡିଜିଟାଲ ସେବାକେନ୍ଦ୍ର ଖୋଲି ସେଠାରେ ଗରିବମାନଙ୍କୁ ସରକାରଙ୍କ ତରଫରୁ ଦିଆଯାଉଥିବା ବିଭିନ୍ନ ଯୋଜନା ଏବଂ ସେବା ମାଗଣାରେ ଯୋଗାଇ ଦେଉଛନ୍ତି। ଶିନୋନ୍ଦ ଏଲ୍‌ଆଇସିରେ ଆଡ୍‌ମିନିଷ୍ଟ୍ରେଟିଭ୍‌ ଅଧିକାରୀ ଭାବେ ୧୯୯୬ରେ ଚାକିରିରେ ଯୋଗଦେବା ପରେ ଲୋକମାନଙ୍କୁ ଆର୍ଥିକ ସାହାଯ୍ୟ ଦେବା ଆରମ୍ଭ କରିଥିଲେ। ସେ ଏବେ ଅବସର ନେଇସାରିଥିଲେ ବି ତାଙ୍କ ସ୍ତ୍ରୀ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି। ଘରଠାରୁ ୭ କି.ମି. ପରିସୀମା ମଧ୍ୟରେ ଥିବା ଗରିବ ଲୋକଙ୍କୁ ଆଶାକର୍ମୀଙ୍କ ସହାୟତାରେ ଚିହ୍ନଟ କରିବା ପରେ ସେମାନଙ୍କ ସହ ସାକ୍ଷାତ୍‌ କରି ଏହି ଆର୍ଥିକ ସହାୟତା ଯୋଗାଇ ଦେଉଥିଲେ। ହେଲେ ଶିନୋନ୍ଦ ଚାକିରିରୁ ଅବସର ନେବା ପରେ ନିଜେ ଗରିବଙ୍କୁ ଚିହ୍ନଟ କରୁଛନ୍ତି। ଚାକିରିରେ ଥିବା ସମୟରେ ସେ ୧୫୦ ପରିବାରକୁ ସାହାଯ୍ୟ କରୁଥିଲେ। ଅବସର ପରେ ସେହିସବୁ ପରିବାରକୁ ସାହାଯ୍ୟ କରୁଛନ୍ତି ବୋଲି କୁହନ୍ତି ଶିନୋନ୍ଦ। ସେମାନେ ପ୍ରତି ପରିବାର ପିଛା ମାସକୁ ୩୦୦ରୁ ଆରମ୍ଭ କରି ୨,୦୦୦ ଟଙ୍କା ଯାଏ ସାହାଯ୍ୟ କରୁଛନ୍ତି। ଏହା ବ୍ୟତୀତ ସେମାନଙ୍କର କୌଣସି ବିବାହ କିମ୍ବା ମେଡିକାଲ କେସ୍‌ରେ ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି।