ଏଇ ଭାରତରେ

ମାଓପ୍ରବଣ ଅଞ୍ଚଳରେ ପାଦ ଦେଲେ ଆଉ ଫେରିବ ନାହିଁ ବୋଲି ଅନେକେ କହୁଥିଲେ ଡ. ନିଲମ ଗୁପ୍ତାଙ୍କୁ। କିନ୍ତୁ ସେ କାହା କଥା ନ ମାନି ଝାଡ଼ଖଣ୍ଡ, ଓଡ଼ିଶା ଏବଂ ବିହାରର ମାଓ ଅଧ୍ୟୁଷିତ ଅଞ୍ଚଳରେ କାମ କରି ଏବେ ସୁଦ୍ଧା ୨,୦୦୦ ଯୁବକଙ୍କୁ ଥଇଥାନ କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି । ସେ ୨୦୧୧ରେ ‘ଏ ରେ ଅଫ୍‌ ହୋପ୍‌ ’ (ଏଆର୍‌ଓଏଚ୍‌) ସଂସ୍ଥା ଗଠନ କରି ତା’ ମାଧ୍ୟମରେ ଏହି କାର୍ଯ୍ୟ କରିପାରିଛନ୍ତି। ମାଓପ୍ରବଣ ଅଞ୍ଚଳରେ ଉକ୍ତ ସଂସ୍ଥା ଦୁଇ ଦଶନ୍ଧି ଧରି ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ, ପରିମଳ ଓ ଗ୍ରାମୀଣ ବିକାଶ କ୍ଷେତ୍ରରେ କାର୍ଯ୍ୟ କରୁଛି। ସେଠାରେ ବିନା ଦେୟରେ ପ୍ରଶିକ୍ଷଶ ସୁବିଧା ଯୋଗାଇ ଦେବା ସହ ମାଗଣାରେ ୟୁନିଫର୍ମ, ଆବଶ୍ୟକୀୟ ଉପକରଣ, ରହିବା ଖାଇବା ଖର୍ଚ୍ଚ ତୁଲାଉଛି। ନିଲମଙ୍କ ନେତୃତ୍ୱରେ ଏଆରଏଚଏଫ୍‌ ୧୮ରୁ ଊର୍ଦ୍ଧ୍ୱ ରାଜ୍ୟରେ ସାମାଜିକ ଓ ଆର୍ଥିକ ବିକାଶ କାର୍ଯ୍ୟକ୍ରମରେ ବି ଜଡ଼ିତ ରହିଛି। ବିଭିନ୍ନ ବସ୍ତିରେ ‘ପଢ଼ ଓ ବଢ଼’ ଧ୍ୱନି ଦେଇ ୫୦,୦୦୦ରୁ ଊର୍ଦ୍ଧ୍ୱ ପିଲାଙ୍କୁ ଶିକ୍ଷାର ମୁଖ୍ୟ ଧାରାରେ ସାମିଲ କରାଯାଇପାରିଛି। ଡ. ନିଲମ ଦିଲ୍ଲୀ ବିଶ୍ୱ ବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରିବା ସହ ଇଣ୍ଡିଆନ୍‌ ଏଗ୍ରିକଲ୍‌ଚର ୟୁନିଭର୍ସିଟିରୁ ପିଏଚ୍‌ଡି ଶେଷ କରିବା ପରେ ଉଚ୍ଚବେତନର ଚାକିରି ପ୍ରତି ଧ୍ୟାନ ନ ଦେଇ ଏହି କାର୍ଯ୍ୟ କରିବା ଲାଗି ମନସ୍ଥ କରିଥିଲେ; ଯାହାର ସୁଫଳ ଏବେ ଲୋକେ ପାଇପାରୁଛନ୍ତି।