ଏଇ ଭାରତରେ

ବ୍ୟାପକ ଜଙ୍ଗଲ ଧ୍ୱଂସ ଜଳବାୟୁ ପରିବର୍ତ୍ତନର କାରଣ ପାଲଟୁଛି। ଏହାଯୋଗୁ ପୃଥିବୀ ଭୀଷଣ ଭାବେ ପ୍ରଭାବିତ ହେବାରେ ଲାଗିଛି। ଏହାକୁ ଉପଲବ୍ଧି କରି କିଛି ବ୍ୟକ୍ତି ପରିବେଶ ସୁରକ୍ଷା ଚିନ୍ତା କରୁଛନ୍ତି ଓ ଏମାନଙ୍କ ମଧ୍ୟରେ କେରଳର ଅବଦୁଲ କରିମ୍‌ ଅନ୍ୟତମ। ସେ ଏକୁଟିଆ ୨୭ ଏକର ଜମିରେ ଜଙ୍ଗଲ ସୃଷ୍ଟି କରିଛନ୍ତି। ମୋଟରେ ଏହି ଜଙ୍ଗଲରେ ସେ ୫,୦୦୦ ଗଛ ବଢ଼ାଇପାରିଛନ୍ତି। ଅବଦୁଲଙ୍କ ବୟସ ୭୪। କସାରଗଡ଼ର ଏହି ବ୍ୟକ୍ତିଙ୍କ ନିଜସ୍ବ ଉଦ୍ୟମରେ କିଛି ଦଶନ୍ଧି ମଧ୍ୟରେ ଏହି ଜଙ୍ଗଲ ସମ୍ଭବ ହୋଇଛି। ଏବେ ଜଙ୍ଗଲରେ ବିଭିନ୍ନ ପ୍ରଜାତିର ପକ୍ଷୀ, ବଣୁଆ ଜୀବ ଏବଂ ଔଷଧୀୟ ବୃକ୍ଷ ଦେଖିବାକୁ ମିଳୁଛି। ୭୦ ଦଶକରେ ଅବଦୁଲ ଗଲ୍ଫରେ କାମ କରୁଥିଲେ। ୟୁଏଇର ସଂସ୍ଥାପକ ଶେଖ୍‌ ଜୟିଦ ବିନ୍‌ ସୁଲତାନ ଅଲ୍‌ ନହ୍ୟାନ ମରୁଭୂମିକୁ ସବୁଜ କରିବା ଲାଗି ଯୋଜନା କରି ସଫଳ ହୋଇଥିଲେ ଓ ଏହି କାର୍ଯ୍ୟ କରିମ୍‌ଙ୍କୁ ବେଶ୍‌ ପ୍ରଭାବିତ କରିଥିଲା। ଗଲ୍ଫରୁ ୧୯୭୭ରେ ସେ ଘରକୁ ଫେରିବା ପରେ ୫ ଏକର ଜମି କିଣିି ବୃକ୍ଷରୋପଣ ଆରମ୍ଭ କରିଥିଲେ। ଧୀରେ ଧୀରେ ଅଧିକ ଜମି କିଣି ମୋଟରେ ୨୭ ଏକରକୁ ଜଙ୍ଗଲ କରି ତାଙ୍କ ସ୍ବପ୍ନ ପୂରଣ କରିବା ସହ ପରିବେଶ ସୁରକ୍ଷାରେ ନିଜକୁ ନିୟୋଜିତ କରିଥିଲେ।