ଏଇ ଭାରତରେ

ସରକାରୀ ଜମିରେ ପଣସ ଗଛ ଲଗାଇ ଚାଲିଛନ୍ତି କେରଳର କେ.ଆର୍‌ ଜୟନ। ରାଜ୍ୟର ବିଭିନ୍ନ ଗାଁରେ ସେ ଏଭଳି ଅଭିଯାନ ଚଳାଇଛନ୍ତି। ଗାଁଗୁଡ଼ିକୁ ‘ପାଲଭୁ ଭିଲେଜ’ ବା ‘ପଣସ ଗାଁ’ର ନୂଆ ପରିଚୟ ଦେଉଛନ୍ତି। ଏଥିପାଇଁ ଜୟନଙ୍କୁ ପ୍ଲାଣ୍ଟ୍‌ ଜିନୋମ ସାଭିୟର କମ୍ୟୁନିଟି ଆଓ୍ବାର୍ଡ ମିଳିଛି। ସେ ରହୁଛନ୍ତି ଥ୍ରିଶୁର ଜିଲାର ଇରିଞ୍ଜାଲାକୁଡା ସହରରେ ଓ ସେଠାରେ ବିଭିନ୍ନ ସ୍ଥାନରେ ୪୪ ପ୍ରକାରର ପଣସ ଗଛ ହଜାର ହଜାର ସଂଖ୍ୟାରେ ଲଗାଇଛନ୍ତି। ତାଙ୍କୁ ଶ୍ରଦ୍ଧାରେ ଲୋକ ‘ପ୍ଲାଭୁ ଜୟନ’ ବୋଲି ସମ୍ବୋଧନ କରୁଛନ୍ତି। ପ୍ଲାଭୁ କହିଲେ ପଣସକୁ ବୁଝାଏ। ପିଲାବେଳେ ସ୍କୁଲ୍‌ ପ୍ରୋଜେକ୍ଟ ପାଇଁ ସେ ପଣସ ନେଇ ଯାଇଥିବାରୁ ତାଙ୍କୁ ଏଭଳିି ନାଁ ଦିଆଯାଇଥିଲା। ତେବେ ସେ ତାଙ୍କ ନାଁର ମହତ୍ତ୍ୱ ବଜାୟ ରଖିବା ଲାଗି ଲୋପ ପାଇବାକୁ ବସିଥିବା ବିଭିନ୍ନ କିସମର ପଣସକୁ ବଞ୍ଚାଇବାରେ ଲାଗିଛନ୍ତି। ୨୦ ବର୍ଷ ଧରି ନିରବଚ୍ଛିନ୍ନ ଉଦ୍ୟମ ଜାରି ରଖିଛନ୍ତି ଓ ଏବେ ସୁଦ୍ଧା ୨୦,୦୦୦ରୁ ଊର୍ଦ୍ଧ୍ୱ ଗଛ ଲଗାଇ ସାରିଲେଣି। କେଉଁମାଟିରେ କେଉଁ ପ୍ରକାର ଗଛ ବଢ଼ିପାରିିବ ତାହା ଅନୁଧ୍ୟାନ କରିବା ପରେ ସେ ଗଛ ଲଗାଉଛନ୍ତି। ଜୟନ ମଞ୍ଜି ସଂଗ୍ରହ କରି ଚାରା ଉତାରୁଛନ୍ତି। କଲମି ଗଛ କେବେ ବି ଲଗାଇନାହାନ୍ତି। ଜୟନଙ୍କର ଏକ ଅଟୋ ଅଛି। ସେଥିରେ ବିଭିନ୍ନ ପ୍ରକାର ଜିନିଷ ନେଇ ବ୍ୟବସାୟ କରନ୍ତି ଓ ସେହି ଅଟୋରେ ପଣସ ଗଛ ବି ନେଇଥାଆନ୍ତି। ଯିବା ଆସିବା ସମୟରେ ବିଭିନ୍ନ ସ୍ଥାନରେ ଅଟକି ଗାଡ଼ିରେ ନେଇଥିତ୍ବା ଗଛଗୁଡ଼ିକୁ ଲଗାନ୍ତି ଓ ଗାଁ ଲୋକଙ୍କ ସହଯୋଗରେ ଏହାର ସୁରକ୍ଷା ବ୍ୟବସ୍ଥା କରିଥାଆନ୍ତି। ଗତ ୧୦ ବର୍ଷ ମଧ୍ୟରେ ସେ ବିଭିନ୍ନ କଲେଜରେ ପାଖାପାଖି ୧୦୦୦ ପଣସ ଗଛ ଲଗାଇଛନ୍ତି।