ଏଇ ଭାରତରେ

ବର୍ଜ୍ୟ ପରିଚାଳନା କ୍ଷେତ୍ରରେ ଭାରତରେ ଯେଉଁ କେତେଜଣ ସକ୍ରିୟ ଭୂମିକା ନେଉଛନ୍ତି ସେମାନଙ୍କ ମଧ୍ୟରେ ବିଶାଳ ଖାଲ୍‌ଡେ ଅନ୍ୟତମ। ମହାରାଷ୍ଟ୍ରର ପୁଣେରେ ବିଶାଳ ଜିଓନ ୱେଷ୍ଟ୍‌ ମ୍ୟାନେଜର୍ସ ପ୍ରାଇଭେଟ୍‌ ଲିମିଟେଡ୍‌ ଷ୍ଟାର୍ଟଅପ୍‌ ମାଧ୍ୟମରେ ବର୍ଜ୍ୟ ପରିଚାଳନା କରୁଛନ୍ତି। ରୋଷେଇ ଘର ବର୍ଜ୍ୟରୁ ବିଦ୍ୟୁତ୍‌ ଓ ବାୟୋଗ୍ୟାସ୍‌ ଉତ୍ପାଦନ କରାଯାଉଛି। ଏହାଦ୍ୱାରା ଏଲ୍‌ପିିଜି ବ୍ୟବହାର ଏକ ଚତୁର୍ଥାଂଶ କମ୍‌ ହୋଇପାରୁଛି। ଭାରତରେ ୬୨ ମିଲିୟନ ଟନ୍‌ ବର୍ଜ୍ୟ ବାହାରୁଛି ଓ ସେଥିରୁ ୭୦% ସଂଗ୍ରହ ହେବା ପରେ ଆଉସବୁ ବାହାରେ ଠୁଳ ହେଉଛି। ଏହି ବର୍ଜ୍ୟ ୨୦୩୦ ସୁଦ୍ଧା ୧୬୫ ମିଲିୟନ ଟନ୍‌ରେ ପହଞ୍ଚିବ ବୋଲି ଅନୁମାନ କରାଯାଉଛି। ଏଣୁ ଏଭଳି ସମସ୍ୟାକୁ ଦୃଷ୍ଟିରେ ରଖି ଅଭିଯାନ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିବା କୁହନ୍ତି ୩୨ ବର୍ଷୀୟ ବିଶାଳ। ତାଙ୍କ ପଦ୍ଧତିରେ ‘ଏନର୍ଜୀ ବିନ’୍‌ ବ୍ୟବହାର କରାଯାଉଛି, ଯାହା ଜୈବ ବର୍ଜ୍ୟକୁ ବାୟୋଗ୍ୟାସରେ ପରିଣତ କରୁଛି। କେବଳ ଏତିକି ନୁହେଁ, ଏଥିରୁ ବିଦ୍ୟୁତ ଉତ୍ପାଦନ କରାଯାଇ ରାସ୍ତାକଡ଼ ଲାଇଟ ଜଳିବାରେ ଉପଯୋଗ ହେଉଛି। ବିଶାଳ ଜର୍ମାନୀରୁ କେମିକାଲ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିବା ପରେ ୨୦୦୯ରେ ଭାରତକୁ ଫେରି ବାୟୋଗ୍ୟସ ଟେକ୍‌ନୋଲୋଜି କମ୍ପାନୀରେ ଯୋଗଦେଇଥିଲେ। ପରେ ୨୦୧୩ରେ ସେ ଏବଂ ତାଙ୍କ ସାଙ୍ଗ ଜିଓନ ଓ୍ବେଷ୍ଟ୍‌ ମ୍ୟାନେଜର୍ସ ପ୍ରାଇଭେଟ୍‌ ଲିମିଟେଡ୍‌ ପ୍ରତିଷ୍ଠା କରିଥିଲେ। ତାଙ୍କ ପଦ୍ଧତି ଉପଯୋଗ କରିବା ପାଇଁ ବହୁ ଶିଳ୍ପ ସଂସ୍ଥା ଏବେ ଆଗ୍ରହ ପ୍ରକାଶ କରିଛନ୍ତି।