ଏଇ ଭାରତରେ

ଖୁସି ରହିବା ପାଇଁ ପାଠ ପଢ଼ିବାକୁ ହେବ। ଏମିତି କଥା ଶୁଣି ବିଶ୍ୱାସ ହେଉନାହିଁ କି! ହେଲେ ଏବେ ଏମିତି ଏକ ସ୍ବତନ୍ତ୍ର ଧରଣର ପାଠ୍ୟକ୍ରମ ପ୍ରଚଳନ ହୋଇଛି ଆମ ଦେଶର ରାଜଧାନୀ ଦିଲ୍ଲୀରେ। ରାଜ୍ୟର ୧୫ଟି ଜିଲାରେ ପ୍ରଥମେ ଏହି ପାଠ୍ୟକ୍ରମକୁ ଶିକ୍ଷା ବ୍ୟବସ୍ଥାରେ ସାମିଲ କରାଯାଇଛି। ଧୀରେ ଧୀରେ ଏହାକୁ ଅନ୍ୟ ଜିଲାରେ ଲାଗୁ କରାଯିବା ପାଇଁ ନିଷ୍ପତ୍ତି ହୋଇଛି। ତେବେ ଖୁସି ରହିବା ପାଇଁ ପାଠ ଶିଖେଇବାକୁ ଏବେ ସୁଦ୍ଧା ୫ଜଣ ଶିକ୍ଷକଙ୍କୁ ନିଯୁକ୍ତି ବି ମିଳି ସାରିଛି। ପିଲାଙ୍କୁ ଖୁସିରେ ରଖିବା ପାଇଁ ଶିକ୍ଷକମାନେ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ କରିବାକୁ ତାଲିମ ପାଇଛନ୍ତି। ଖୁସି ରହିବା ପାଠ (ହାପିନେସ୍‌)ରେ ପିଲାଙ୍କୁ ଖୁସିରେ ରଖିବା ପାଇଁ କ’ଣ ସବୁ କରିବାକୁ ହେବ ସେନେଇ ବୁଝାଇବାକୁ ପଡ଼ିବ। ତେଣୁ ଏହି ପାଠ୍ୟକ୍ରମରେ ବିଶ୍ୱାସ, ସମ୍ମାନ, ସ୍ନେହ ମମତା ଓ ଭଲପାଇବା ଆଦି ବିଭିନ୍ନ ବିଷୟକୁ ସାମିଲ କରାଯାଇଛି। ଏହି ପାଠ୍ୟକ୍ରମ ମାଧ୍ୟମରେ ପିଲାଙ୍କର ସକାରାତ୍ମକ ଭାବନା ବିକାଶ କରିବା ସହିତ ସେମାନଙ୍କର ବିବେକ ବୁଦ୍ଧିକୁ ଜାଗ୍ରତ କରାଯାଇପାରିବ ବୋଲି ବିଶ୍ୱାସ କରାଯାଇଛି।