ଏଇ ଭାରତରେ

କୃଷି ବର୍ଜ୍ୟରୁ କପଡ଼ା ପ୍ରସ୍ତୁତ ହେବା କଥା ଶୁଣି ଆଶର୍ଯ୍ୟ ଲାଗୁଛି, ହେଲେ ଏହା ମୁମ୍ବାଇର କୌଶିକଙ୍କ ବରଦାନଙ୍କ ଦ୍ୱାରା ସମ୍ଭବ ହୋଇପାରିଛି। ଟେକ୍ସଟାଇଲ ଇଣ୍ଡଷ୍ଟ୍ରିରେ କୃଷି ବର୍ଜ୍ୟ ଉପଯୋଗ କରି ସେ ପରିବେଶ ଉପଯୋଗୀ କପଡ଼ା ପ୍ରସ୍ତୁତ କରୁଛନ୍ତି। ୨୦୧୯ରେ କୌଶିକ ‘ରେଡାନ’ ଷ୍ଟାର୍ଟଅପ୍‌ ଗଠନ କରି ତା’ମାଧ୍ୟମରେ ପଦ୍ମ, ଗୋଲାପ, କଦଳୀ, ଘିକୁଆଁରୀ, ବାଉଁଶ, ଡାଳିମ୍ବ, ମକା ବର୍ଜ୍ୟ ଉପଯୋଗ କରି ଏଭଳି କପଡ଼ା ପ୍ରସ୍ତୁତ କରୁଛନ୍ତି। ଏହି କପଡ଼ା ମଧ୍ୟ ରିସାଇକ୍ଲିଂ ହୋଇପାରୁଛି। କୌଶିକଙ୍କ ଏହି ପ୍ରୟାସ ଯୋଗୁ କୃଷି ବର୍ଜ୍ୟ ପୋଡ଼ିରୁ ସୃଷ୍ଟି ହେଉଥିବା ଭୟଙ୍କର ବାୟୁ ପ୍ରଦୂଷଣ ଅନେକାଂଶରେ ରୋକାଯାଇପାରୁଛି। ସେ ଇଞ୍ଜିନିୟରିଂ ପରେ ଡିଜାଇନିଂରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି। ତାଙ୍କ ମା’ ଶସ୍ୟ ଓ ବିଭିନ୍ନ ଗଛରୁ ପ୍ରସ୍ତୁତ ଜୈବିକ ରଙ୍ଗ ପ୍ରସ୍ତୁତି କ୍ଷେତ୍ରରେ କାର୍ଯ୍ୟ କରନ୍ତି ଓ ତାଙ୍କଠାରୁ କୌଶିକ ପ୍ରେରଣା ପାଇ ଏହି କାର୍ଯ୍ୟରେ ପାଦ ଦେଇଛନ୍ତି । ସେ ଦକ୍ଷିଣ ଭାରତରେ ଯୁନିଟ୍‌ ପ୍ରତିଷ୍ଠା କରି ଆନ୍ଧ୍ରପ୍ରଦେଶର ବିଭିନ୍ନ ମିଲ୍‌ରୁ କଦଳୀ, ବାଉଁଶ, ଗୋଲାପ, ପଦ୍ମ ଏବଂ ଡାଳିମ୍ବ ବର୍ଜ୍ୟ ସଂଗ୍ରହ କରି ଉପଯୋଗ କରୁଛନ୍ତି। ଏବେ ଏହି କପଡ଼ାର ଚାହିଦା ବଢ଼ିବାରେ ଲାଗିଛି। ଗତ ବର୍ଷ ପାଖାପାଖି ୨୦ ଲକ୍ଷ ଟଙ୍କା କାରବାର ହୋଇଥିବାବେଳେ ଆଗକୁ ଏହା ବୃଦ୍ଧି ପାଇବ ବୋଲି କହନ୍ତି କୌଶିକ।