ଏଇ ଭାରତରେ

ମଧ୍ୟପ୍ରଦେଶର ଜଣେ ବ୍ୟାଙ୍କର ତାଙ୍କ ଜୀବନର ଅଧା ସମୟ ଅନ୍ତିମ ସଂସ୍କାର କାର୍ଯ୍ୟରେ କଟାଇ ଏକ ଉଦାହରଣ ସୃଷ୍ଟି କରିଛନ୍ତି। ଜବଲପୁରରେ ଏହି ବ୍ୟାଙ୍କର ହେଉଛନ୍ତି ଆଶିଷ ଠାକୁର। ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଥିବା ମୃତଦେହଗୁଡ଼ିକୁ ଆଣି ତାହାର ଅନ୍ତିମ ସଂସ୍କାର କରୁଛନ୍ତି। ଏବେ ସୁଦ୍ଧା ସେ ପାଖାପାଖି ତ୍ତ୍୧୦ ହଜାରରୁ ଉର୍ଦ୍ଧ୍ୱ ମୁତଦେହ ଅନ୍ତିମ ସଂସ୍କାର କରି ସାରିଲେଣି। ଯିଏ ଯେଉଁ ଧର୍ମର ସେହି ରୀତିନୀତିରେ ଦାହ କରୁଛନ୍ତି କିମ୍ବା କବର ଦେଉଛନ୍ତି। ଠାକୁରଙ୍କୁ ଏବେ ବୟସ ୪୨। ୧୯୯୯ରୁ ସେ ଏହି କାର୍ଯ୍ୟ ଆରମ୍ଭ କରିଥିଲେ। ଏହି କାର୍ଯ୍ୟ କରିବା ଲାଗି ସେ ‘ମୋକ୍ଷ’ ଏନ୍‌ଜିଓ ଗଠନ କରିଛନ୍ତି। ତାଙ୍କ ସହ ଏବେ ଅନେକ ସ୍ବେଚ୍ଛାସେବୀ ଯୋଡି ହୋଇଛନ୍ତି। କୌଣସିଠାରୁ ମୃତଦେହ ସମ୍ପର୍କରେ କଲ୍‌ ପାଇବା କ୍ଷଣି ସେଠାରେ ପହଞ୍ଚି ଯାଉଛନ୍ତି। କେବଳ କୋଭିଡ୍‌ ମହାମାରୀର ଦ୍ୱିତୀୟ ଲହର ସମୟରେ ଦୁଇ ମାସ ମଧ୍ୟରେ ୨୦୦୦ ମୃତଦେହ ଅନ୍ତିମ ସଂସ୍କାର କରିପାରିଛନ୍ତି। ଏହା ବ୍ୟତୀତ ଆଶିଷ ରାସ୍ତା କଡ଼ରେ ରହୁଥିବା ଅସହାୟ ଲୋକମାନଙ୍କୁ ଖାଦ୍ୟ ଓ ଔଷଧ ଯୋଗାଉଛନ୍ତି।