ଏଇ ଭାରତରେ

ନିଜର ମାର୍କେଟିଂ ରଣନୀତିରେ ଜଣେ କୃଷକ ୩୨ଟି ଦେଶର ଲୋକଙ୍କୁ ଆକର୍ଷିତ କରିବା କିଛି କମ୍‌ କଥା ନୁହେଁ। ତାଙ୍କର ଏଭଳି ମାର୍କେଟିଂ ରଣନୀତିକୁ ସହଜରେ କେହି ବିଶ୍ୱାସ କରୁ ନ ଥିତ୍ଲେ ବି ସତ। ଏହି କୃଷକ ହେଉଛନ୍ତି ଗୁଜରାଟର ପୁରୁଷୋତ୍ତମ ସିଦ୍‌ପରା। ସେ ଜୈବିକ ପଦ୍ଧତିରେ ଚାଷ କରି ୪୦% ଖର୍ଚ୍ଚ ସହ ୨୦% ପାଣି ଉପଯୋଗ କମ୍‌ କରିପାରିଛନ୍ତି। ଗୁଜରାଟର ମରୁଡି ପ୍ରବଣ ସୌରାଷ୍ଟ୍ର ଅଞ୍ଚଳର ଜାମକା ଗାଁରେ ରହନ୍ତି ୫୦ ବର୍ଷୀୟ ପୁରୁଷୋତ୍ତମ। ସେ ବିଭିନ୍ନ ପ୍ରକାର ଶସ୍ୟ, ମସଲା, ପରିବା, ଫଳ ଆଦି ଉତ୍ପାଦନ କରୁଛନ୍ତି। ଏହାକୁ ଭାରତ ସମେତ ଆମେରିକା, ଇଂଲଣ୍ଡ, ନରଓ୍ବେ, ଜର୍ମାନୀ ଓ ଇଥିଓପିଆ ଆଦି ୧୦ ଦେଶରେ ବିକ୍ରି କରୁଛନ୍ତି। ହେଲେ ୩୨ଟି ଦେଶରୁ ଲୋକେ ତାଙ୍କ ଗାଁକୁ ଚାଷ ପଦ୍ଧତି ଦେଖିବାକୁ ଆସିଥାଆନ୍ତି। ପୁରୁଷୋତ୍ତମ ଚାଷରୁ ବର୍ଷକୁ ୨ କୋଟି ଟଙ୍କା ବ୍ୟବସାୟ କରୁଛନ୍ତି। ସେ ୧୮ ବର୍ଷ ବୟସରୁ ଚାଷ କରୁଛନ୍ତି। ଏହା ସହ ମରୁଡ଼ି ପ୍ରବଣ ଅଞ୍ଚଳର କୃଷିରେ ବିକାଶ କରିବା ପାଇଁ ଗ୍ରାମବାସୀଙ୍କ ସହଯୋଗରେ ୪୫ ଲକ୍ଷ ଟଙ୍କା ପାଣ୍ଠି ଯୋଗାଡ଼ କରି ୫୫ଟି କ୍ଷୁଦ୍ର ବନ୍ଧ ନିର୍ମାଣ କରିବା ସହ ୫ଟି ପୁଷ୍କରିଣୀ ଖୋଳିଛନ୍ତି। ଏପରି କି ଗୁଜରାଟ ସରକାର ତାଙ୍କର ଏହି ମଡେଲକୁ ଅନ୍ୟ ଅଞ୍ଚଳରେ କାର୍ଯ୍ୟକାରୀ କରିବାକୁ ଗ୍ରହଣ କରିଛନ୍ତି।