ଏଇ ଭାରତରେ

ପରିଶ୍ରମର ଫଳ ମହୁ ଭଳି ମିଠା, ଯାହା ଚାଖିପାରିଛନ୍ତି ପଞ୍ଜାବର ଚାଷୀ ଗୋବିନ୍ଦର ସିଂ ରାନ୍ଦଓ୍ବା। ନିଜର ସୁନା ଅଳଙ୍କାର ବିକ୍ରି କରି ମହୁ ଚାଷ ଆରମ୍ଭ କରିଥିଲେ। ଏଥିରୁ ଏବେ ସେ ବର୍ଷକୁ ୪ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ରୋଜଗାର କରିପାରୁଛନ୍ତି। କେବଳ ଏତିକି ନୁହେଁ , ୨୦୦୩ରେ ‘ବିଗ୍‌ ବି ହନି ’ ଗ୍ରୁପ୍‌ ଗଠନ କରି ଏଥିରେ ୩୦୦ରୁ ଊର୍ଦ୍ଧ୍ୱ ମହୁଚାଷୀଙ୍କୁ ସାମିଲ କରିପାରିଛନ୍ତି। ମହୁ ଉତ୍ପାଦନଠାରୁ ଆରମ୍ଭ କରି ମାର୍କେଟିଂ ଯାଏ ସବୁଥିରେ ରାନ୍ଦଓ୍ବା ଚାଷୀମାନଙ୍କୁ ସହଯୋଗ କରୁଛନ୍ତି। ରାନ୍ଦଓ୍ବା ଲାଣ୍ଡା ଗାଁରେ ମହୁଚାଷ କରୁଛନ୍ତି । ଗାଁ ମୁଖିଆଙ୍କ ପ୍ରେରଣାରେ ରାନ୍ଦଓ୍ବା ପଞ୍ଜାବ କୃଷି ବିଦ୍ୟାଳୟରେ ପ୍ରଶିକ୍ଷଣ ନେବା ପରେ ଦୁଇଜଣ ସାଙ୍ଗଙ୍କୁ ନେଇ ପ୍ରଥମେ ୨.୮ ଲକ୍ଷ ଟଙ୍କା ଋଣ କରି ୧୨୦ଟି ମହୁବାକ୍ସ କିଣି ଚାଷ ଆରମ୍ଭ କରିଥିଲେ। ଏଥିରେ ବିଫଳ ହେବା ପରେ ରାନ୍ଦଓ୍ବାଙ୍କ ଦୁଇ ସାଙ୍ଗ ଏଥିରୁ ଓହରି ଗଲା ପରେ ରାନ୍ଦଓ୍ବା ତାଙ୍କ ସୁନା ଗହଣା ବିକ୍ରି କରି ଚାଷକୁ ଆଗକୁ ବଢ଼ାଇଥିଲେ। ୨୦୦୯ରେ ମହୁ ଆମଦାନୀ ଓ ରପ୍ତାନି ପାଇଁ ଲାଇସେନ୍ସ ପାଇବାକୁ ସକ୍ଷମ ହୋଇଥିଲେ । ୨୦୧୨-୧୩ରେ ସେ ମହୁ ରପ୍ତାନି ଆରମ୍ଭ କରିଥିଲେ। ଆମେରିକା ଓ ୟୁରୋପରେ ତାଙ୍କ ମହୁର ଚାହିଦା ଢେର ବେଶି।