ଏଇ ଭାରତରେ

ବିନା ମାଟିରେ ସେଓ ଘରେ ଫଳିବ। ଏହା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିବ, କିନ୍ତୁ ଏମିତି ସେଓ ପଳାଉଛନ୍ତି ବେଙ୍ଗାଲୁରୁର ବିବେକ ବିଳାସିନୀ। କମ୍‌ ଥଣ୍ଡାରେ ଫଳୁଥିବା ଏକପ୍ରକାର କିସମ ଆନ୍ନା ଆପଲ୍‌ ତାଙ୍କ ଘର ବାଲ୍‌କୋନିରେ ଫଳାଉଛନ୍ତି। ବିବେକଙ୍କ ବୟସ ୫୭। ପେସାରେ ଜଣେ ଆର୍ଟିଷ୍ଟ ଏବଂ ଫଟୋଗ୍ରାଫର। କେରଳର ମୁନ୍ନାରରେ ତାଙ୍କର ଏକ ଫାର୍ମ ରହିଥିଲେ ବି ଏହି ଜାତୀୟ ସେଓ ସେ ଘରେ ବର୍ଷେ ହେବ ଚାଷ କରୁଛନ୍ତି। ସେ ପ୍ରଥମେ କାଲିଫର୍ନିଆରୁ ଏହାର ଚାରା ଆଣିବା ଲାଗି ଚେଷ୍ଟା କରିଥିଲେ ବି ଆଇନଗତ କଟକଣା ଯୋଗୁ ସମ୍ଭବ ହୋଇପାରି ନ ଥିଲା। ପରେ ସେ ଏହାକୁ ଭାରତର କୋର୍ଗର ଏକ ନର୍ସରୀରୁ ସଂଗ୍ରହ କରିଥିଲେ ଓ ଚାଷ ଆରମ୍ଭ କରିଥିଲେ। ସେ ଏହି ଚାରାକୁ ଏୟାର ପଟ୍‌ରେ ଲଗାଉଛନ୍ତି। ଏହି ପଟ୍‌ରେ ଏକପ୍ରକାର ଶୁଖିଲା ଘାସ, ପର୍ଲାଇଟ ଏବଂ କିଛି ଖତ ବ୍ୟବହାର କରାଯାଉଛି। ଏହା ବ୍ୟତୀତ ସେ ଆଉ ୪ ପ୍ରକାର ସେଓ ଏହି ପଦ୍ଧତିରେ ଚାଷ କରୁଛନ୍ତି, କିନ୍ତୁ ସେଗୁଡ଼ିକ ଏବେ ସୁଦ୍ଧା ଫଳିନାହିଁ। ବିବେକ ତାଙ୍କ ଫାର୍ମରେ ୬ ପ୍ରକାର ଅଭାକୋଡା ଓ ୪୦ ପ୍ରକାର କଣ୍ଟାଜାତୀୟ ଫଳ ସହ ମୋଟରେ ୩୦୦ ପ୍ରକାର ଫଳଚାଷ କରୁଛନ୍ତି।