ଏଇ ଭାରତରେ

କଳା ଓ ସଂସ୍କୃତି ସୁରକ୍ଷା ପାଇଁ ଜଣେ ଫଟୋଗ୍ରାଫରଙ୍କ ପ୍ରୟାସ ବାସ୍ତବରେ ପ୍ରଶଂସନୀୟ। ମୁମ୍ବାଇର ଏହି ଫଟୋଗ୍ରାଫର ହେଉଛନ୍ତି ୫୩ ବର୍ଷୀୟ ହେମନ୍ତ ଚତୁର୍ବେଦୀ। ସେ ଲୋପ ପାଇଯାଉଥିବା ସିଙ୍ଗଲ ସ୍କ୍ରିନ ସିନେମାର ଧାରା ଓ ହଲ୍‌କୁ ବଞ୍ଚାଇ ରଖିବା ଲାଗି ଏବେ ସୁଦ୍ଧା ଦେଶର ୧୧ଟି ରାଜ୍ୟରେ ୫୦୦ ସହରକୁ ଯାଇଛନ୍ତି। ମୋଟରେ ଏଥିପାଇଁ ତାଙ୍କୁ ଟ୍ରାଭେଲିଂ କରି ୩୨,୦୦୦ କି.ମି. ଯିବାକୁ ପଡ଼ିଛି। ୧୭ ବର୍ଷ ହେବ ସେ ଏହି ଅଭିଯାନ ଚଳାଇଛନ୍ତି। ସେ ତାଙ୍କ ଜିପ୍‌ରେ ହିଁ ଏହିସବୁ ସହରକୁ ଯାଉଛନ୍ତି। କେବଳ ଏତିକି ନୁହେଁ ସେ ଦେଶର ବହୁ ଦୁର୍ଗମ ଅଞ୍ଚଳରୁ ସିନେମା ସମ୍ପର୍କିତ ତଥ୍ୟ ସଂଗ୍ରହ କରିବାରେ ମଧ୍ୟ ଲାଗିପଡ଼ିଛନ୍ତି। ଦେଶରେ ସିଙ୍ଗଲ୍‌ ସ୍କ୍ରିନ ସିନେମା ଥିଏଟରଗୁଡ଼ିକର ଅବସ୍ଥା ଏଭଳି ରହିଛି ଯେ ତାହାକୁ ସୁଧାରିବା ଅତ୍ୟନ୍ତ କଷ୍ଟକର ବୋଲି କହନ୍ତି ହେମନ୍ତ। କେବଳ ୨୦୦୦ରୁ ୨୦୧୯ ମଧ୍ୟରେ ଦେଶରେ ୧୨,୦୦୦ ସିଙ୍ଗଲ ସ୍କ୍ରିନ ସିନେମା ବନ୍ଦ ହୋଇଛି ଓ ସିନେମା ଘରକୁ ଧ୍ୱଂସ କରାଯାଇଛି। ଏସବୁକୁ ଉଦ୍ଧାର କରିବା ଲାଗି ସେ ୨୦୧୯ରେ ସିଙ୍ଗଲ ସ୍କ୍ରିନ ସିନେମା ପ୍ରୋଜେକ୍ଟ ମଧ୍ୟ ଆରମ୍ଭ କରିଛନ୍ତି। ଧ୍ୱଂସ ପଥରେ ଏବେ ୬୫୦ ସିନେମା ହଲ ରହିଥିବା ସେ କହିଛନ୍ତି।
ହେମନ୍ତ ମଧ୍ୟ ରଙ୍ଗମଞ୍ଚ ସୁରକ୍ଷାରେ ସମୟ ଦେଉଛନ୍ତି।