ଏଇ ଭାରତରେ

ମୃତ୍ୟୁ ପରେ ଉପଯୁକ୍ତ ମର୍ଯ୍ୟାଦା ପାଇବା ପ୍ରତ୍ୟେକ ବ୍ୟକ୍ତିଙ୍କ ଅଧିକାର। କିନ୍ତୁ ଏବେ ମହାମାରୀ ସମୟରେ ଅନେକାଂଶରେ ଏହାର ବ୍ୟତିକ୍ରମ ପରିଲକ୍ଷିତ ହେଉଥିବା ଲକ୍ଷ୍ୟକରି କୋଭିଡ୍‌ ମୃତକଙ୍କୁ ମର୍ଯ୍ୟାଦା ସହ କବର ବା ସମାଧି ଦେଉଛନ୍ତି ବେଙ୍ଗାଲୁରୁର ନିକୋଲି ଚେରିୟନ୍‌ ଓ ତାଙ୍କ ସମ୍ପର୍କୀୟ ଭାଇ ଟିନା ଚେରିୟନ। ନିକୋଲିଙ୍କ ବୟସ ୨୦ ହୋଇଥିବା ବେଳେ ଟିନାଙ୍କ ବୟସ ୨୧। ନିକୋଲି ସେଣ୍ଟ ଯୋଶେଫ୍‌ କଲେଜ୍‌ ଅଫ୍‌ ଆର୍ଟରେ ପଢ଼ୁଛନ୍ତି ଓ ଟିନା କସ୍ତୁରବା ମେଡିକାଲ କଲେଜ, ମାଙ୍ଗାଲୋରର ଶେଷବର୍ଷ ଛାତ୍ର। ଅନ୍‌ଲାଇନ୍‌ କ୍ଲାସ୍‌ ସାରିବା ପରେ ଅପରାହ୍ନରେ ଦୁହେଁ ନିକଟସ୍ଥ କବରସ୍ଥଳୀ ଅଭିମୁଖେ ବାହାରି ଯାଉଛନ୍ତି। ତାଙ୍କ ସାଙ୍ଗରେ ଥାଆନ୍ତି ୩୮ ବର୍ଷୀୟ ସାମୁଏଲ୍‌ ଯୋଶେଫ୍‌। ଏମାନେ କବରସ୍ଥଳୀରେ ପହଞ୍ଚି ପିପିଇ କିଟ୍‌ ପରିଧାନ କରନ୍ତି। ପରେ ଆମ୍ବୁଲାନ୍ସରୁ ଶବ ବାହାର କରିନେଇ କଫିନ୍‌ରେ ରଖିବା ସହ ଉପଯୁକ୍ତ ମର୍ଯ୍ୟାଦା ସହ କବର ଦେଉଛନ୍ତି। ପ୍ରତିଦିନ ହାରାହାରି ୨୦ଟି ମୃତଦେହକୁ କବର ଦେଉଛନ୍ତି। ଦିନେ ଦିନେ ଏହା ୨୫ ଟପିଯାଉଛି। ନିକୋଲିଙ୍କ ଏଭଳି ମହତ୍‌ କାର୍ଯ୍ୟ ସହ ଏବେ ମୋଟ୍‌ ୬ ଜଣ ଲୋକ ଯୋଡ଼ି ହୋଇଛନ୍ତି। ମୃତଦେହକୁ କବର ଗାତ ନିକଟକୁ ନେବାପରେ ଧର୍ମଯାଜକ ପ୍ରାର୍ଥନା କରୁଛନ୍ତି ଓ ପରେ ଏମାନେ କବର ଦେଉଛନ୍ତି। ନିକୋଲିଙ୍କ ପିତା ଜଣେ ସମାଜସେବୀ। ସେ ନିକୋଲିଙ୍କୁ ଏହି କାର୍ଯ୍ୟ ପାଇଁ ଉତ୍ସାହିତ କରୁଛନ୍ତି।