ଏଇ ଭାରତରେ

୧୨ ହଜାର ଫୁଟରୁ ଅଧିତ୍କ ଉଚ୍ଚରେ ଥିବା ଏକ ହ୍ରଦର ପୁନରୁଦ୍ଧାର କରିବା ସହ ପ୍ରତିଦିନ ଏହାକୁ ସଫା କରିବାରେ ଉଦାହରଣ ସୃଷ୍ଟି କରିଛନ୍ତି ସିକିମ୍‌ର ସଜ୍ଞା ଲାମ୍ବା। ଟୁରିଷ୍ଟମାନଙ୍କୁ ଗାଇଡ୍‌ କରିବା ସହ ସେ ଏହି କାର୍ଯ୍ୟ କରିଥାନ୍ତି। ସଜ୍ଞାଙ୍କ ବୟସ ୩୭। ସେ ଓ ତାଙ୍କ ଟିମ୍‌ ଟସୋମଗୋ ହ୍ରଦରୁ ୨୦ ଟ୍ରକ୍‌ ବର୍ଜ୍ୟ ସଫା କରିବାରେ ସକ୍ଷମ ହୋଇଛନ୍ତି। ସଜ୍ଞା ୨୦୦୮ରୁ ଟସୋମଗୋ ପୁଖ୍‌ରି ସଂରକ୍ଷଣ ସମିତିରେ କାର୍ଯ୍ୟ କରୁଛନ୍ତି। ୧୨,୪୦୬ ଫୁଟ ଉଚ୍ଚରେ ତଥା ଏକ ଆକର୍ଷଣୀୟ ପର୍ଯ୍ୟଟନ ସ୍ଥଳ ଭାବେ ଜଣାଶୁଣା ଟସୋମଗୋ ହ୍ରଦ ପାଖରେ ବି ଏକ ଓ୍ବେଷ୍ଟ ଟ୍ରିଟ୍‌ମେଣ୍ଟ ଓ ରିସାଇକ୍ଲିଂ ୟୁନିଟ୍‌ ତାଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଛିି। ଏହାଦ୍ୱାରା ବର୍ଜ୍ୟର ପୁନଃ ଉପଯୋଗ କରାଯାଇପାରୁଛି। ଟସୋମଗୋ ହ୍ରଦର ଲମ୍ବ ୧.୫ କି.ମି. ଏବଂ ଚଉଡ଼ା ୫୦୦ମିଟର। ଗ୍ୟାଙ୍ଗ୍‌ଟକଠାରୁ ୪୦କି.ମି. ଦୂରରେ ଥିବା ଏହି ହ୍ରଦ ଉପରେ ପାଖାପାଖି ୩୦୦ ପରିବାର ନିର୍ଭର କରନ୍ତି। ଏଣୁ ସଜ୍ଞା ଲାମ୍ବାଙ୍କ ପ୍ରୟାସ ଯୋଗୁ ଲୋକମାନେ ବି ଉପକୃତ ହେଉଛନ୍ତି। ପ୍ରତିଦିନ ସକାଳ ୮ଟା ଓ ଅପରାହ୍ନ ୪ଟାରେ ବର୍ଜ୍ୟ ସଂଗ୍ରହ କରାଯାଏ। ବର୍ଜ୍ୟ ସ୍ଥାନାନ୍ତର ପାଇଁ ଆବଶ୍ୟକ ଖର୍ଚ୍ଚ ସେ ଟୁରିଷ୍ଟମାନଙ୍କଠାରୁ ପାଇଥାଆନ୍ତି।