ଏଇ ଭାରତରେ

ନୂଆ ତଥା ଆଧୁନିକ ପଦ୍ଧତିରେ ଆମ୍ବ ଚାଷ କରି ୧ ଏକରରୁ ୬ ଲକ୍ଷ ଟଙ୍କା ରୋଜଗାର କରିବା ଏକ ବଡ଼ ସଫଳତା ବୋଲି କୁହାଯାଇପାରେ। କେବଳ ଏତିକି ନୁହେଁ, ପର୍ଯ୍ୟାପ୍ତ ଲାଭ ପାଇବା ସହ ଅନ୍ୟ ଚାଷୀମାନଙ୍କୁ ଆମ୍ବ ଚାଷ ପ୍ରତି ଆକର୍ଷିତ କରୁଛନ୍ତି ମହାରାଷ୍ଟ୍ରର ପ୍ରେମାନନ୍ଦ ଗାଡାନେ। ମିରାଜ ସହରଠାରୁ ୨୫ କି.ମି. ଦୂର ବେଲାଙ୍କି ଗଁାରେ ତାଙ୍କ ଘର। ୨ ଏକର ଜମିରେ ସେ ଅଲ୍‌ଟ୍ରା ହାଇ ଡେନ୍‌ସିଟି ପ୍ଲାଣ୍ଟିଂ (ୟୁଏଚ୍‌ଡିପି) ପଦ୍ଧତିରେ କେଶର କିସମର ଆମ୍ବ ଚାଷ କରୁଛନ୍ତି। ଏହି ପଦ୍ଧତି ଇସ୍ରାଏଲ ଏବଂ ଦକ୍ଷିଣ ଆଫ୍ରିକାରେ କରାଯାଏ। ତେବେ ଭାରତରେ ଉକ୍ତ ପଦ୍ଧତିରେ ଚାଷ କରୁଥିବା ହାତଗଣତି ଚାଷୀଙ୍କ ମଧ୍ୟରେ ଅଧିକ ସଫଳତା ପାଇଛନ୍ତି ପ୍ରେମାନନ୍ଦ। ତାଙ୍କ ଫାର୍ମରେ ଥିବା ମୋଟ ୯୦୦ ଆମ୍ବଗଛରୁ ସେ ୧୫ଟନ୍‌ ଆମ୍ବ ପାଉଛନ୍ତି। ପାରମ୍ପରିକ ପଦ୍ଧତିରେ ଚାଷ ଅପେକ୍ଷା ଏଥିରେ ୨୦୦ ପ୍ରତିଶତ ଅଧିକ ଉତ୍ପାଦନ ହେଉଛି। ୨୦୧୫ରେ ସେ ୧ ଏକରରୁ ୩ଟନ୍‌ ଆମ୍ବ ପାଉଥିଲେ, କିନ୍ତୁ ଏବେ ଉତ୍ପାଦନ କରୁଛନ୍ତି ୭.୫ଟନ୍‌। ପ୍ରତିମାସରେ ସେ ୫୦ ଜଣ କୃଷକଙ୍କୁ ତାଙ୍କ ଫାର୍ମକୁ ଆମନ୍ତ୍ରଣ କରି ସେମାନଙ୍କୁ ଚାଷ ପଦ୍ଧତି ସମ୍ପର୍କରେ ଅବଗତ କରିବା ସହ ଏଥିପାଇଁ ଉତ୍ସାହିତ ମଧ୍ୟ କରୁଛନ୍ତି। ଅନେକ ଚାଷୀ ତାଙ୍କ ପ୍ରେରଣାରେ ୟୁଏଚ୍‌ଡିପି ପଦ୍ଧତିରେ ଆମ୍ବଚାଷ ଆରମ୍ଭ କରିଛନ୍ତି ବୋଲି କହନ୍ତି ପ୍ରେମାନନ୍ଦ। ପ୍ରେମାନନ୍ଦଙ୍କ ଦୁଇପୁଅ ତାଙ୍କୁ ଏହି ଚାଷ ଓ ମାର୍କେଟିଂରେ ସାହାଯ୍ୟ କରୁଛନ୍ତି। ପ୍ରେମାନନ୍ଦ ମଧ୍ୟ ତାଙ୍କ ନର୍ସରିରୁ ପ୍ରତିବର୍ଷ ୪୦,୦୦୦ ଆମ୍ବଚାରା ଚାଷୀମାନଙ୍କୁ ସୁଲଭ ମୂଲ୍ୟରେ ଯୋଗାଇ ଦେଉଛନ୍ତି।