ଏଇ ଭାରତରେ

ଶହ ଶହ ଚାଷୀଙ୍କୁ ସଶକ୍ତ କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି କଶ୍ମୀରର କୃଷକ ଭରତ ଭୂଷଣ। ସେ ଡୋଡା ଜିଲାର ଲେର୍ହୋଟେ ଗାଁରେ ଜୈବିକ ପଦ୍ଧତିରେ ଲାଭେଣ୍ଡର ଚାଷ କରନ୍ତି। ୧୦ ବର୍ଷ ପୂର୍ବେ ଭରତ ଏହି ଚାଷ ଆରମ୍ଭ କରିଥିଲେ। ଏବେ ଏଥିରୁ ସେ ପର୍ଯ୍ୟାପ୍ତ ଲାଭ ପାଇବା ସହ କଶ୍ମୀରର ବିଭିନ୍ନ ଗାଁକୁ ଯାଇ ଚାଷୀମାନଙ୍କୁ ଲାଭେଣ୍ଡର ଚାଷ କରିବାକୁ ଉତ୍ସାହିତ କରୁଛନ୍ତି। ଏଥିପାଇଁ ବି ସେମାନଙ୍କୁ ସହଯୋଗ କରୁଛନ୍ତି। ଦୀର୍ଘଦିନ ଚେଷ୍ଟାକରି ଏବେ ସୁଦ୍ଧା ୫୦୦ରୁ ଊର୍ଦ୍ଧ୍ୱ ଚାଷୀଙ୍କୁ ଲାଭେଣ୍ଡର ଚାଷ ପ୍ରତି ଅକୃଷ୍ଟ କରିପାରିଛନ୍ତି। ଚାଷୀମାନେ ୧୦୦ ହେକ୍ଟରରୁ ଊର୍ଦ୍ଧ୍ୱ ଜମିରେ ଜୈବିକ ପଦ୍ଧତିରେ ଏହି ଚାଷ କରି ପ୍ରତ୍ୟେକେ ୩ ଲକ୍ଷ ଟଙ୍କା ଯାଏ ରୋଜଗାର କରୁଛନ୍ତି। ଭରତ ତାଙ୍କ ନର୍ସରୀରେ ଲାଭେଣ୍ଡର ଚାରା ଉତାରି ଚାଷୀମାନଙ୍କୁ ଯୋଗାଇ ଦେଉଛନ୍ତି। ଏହି କାର୍ଯ୍ୟରେ ଭରତ ଆଖପାଖ ଅଞ୍ଚଳର ବହୁ ମହିଳାଙ୍କୁ ନିଯୁକ୍ତି ଦେଇଛନ୍ତି। କାଉନସିଲ ଅଫ୍‌ ସାଇଣ୍ଟିଫିକ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ( ସିଏସ୍‌ଆଇଆର୍‌)ର ବୈଜ୍ଞାନିକମାନେ ମଧ୍ୟ ଏହି ଚାଷୀମାନଙ୍କୁ ସହଯୋଗ କରିବାକୁ ଆଗେଇ ଆସିଛନ୍ତି। ଚାଷୀମାନେ କିଭଳି ସହଜରେ ଲାଭେଣ୍ଡର ତେଲ ପ୍ରସ୍ତୁତ କରିପାରିବେ ସେଥିପାଇଁ ପ୍ରଶାସନ ‘ମିଶନ ଆରୋମା’ ଆରମ୍ଭ କରି ବିଭିନ୍ନ ସ୍ଥାନରେ ଅଏଲ ଡିଷ୍ଟିଲେଶନ ମେଶିନ ବସାଇଛନ୍ତି।