ଏଇ ଭାରତରେ

ଉତ୍ତରପ୍ରଦେଶର ଭାରତୀୟ ବନ ସେବା (ଆଇଏଫ୍‌ଏସ୍‌) ଅଧିକାରୀ ବିକାଶ ନାୟକ ଇକୋଟୁରିଜମ୍‌କୁ ପ୍ରୋତ୍ସାହିତ କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି। ବଡ଼ କଥା ହେଉଛି ଏକ ଶୁଷ୍କ ତଥା ଚାଷ ଅନୁପଯୋଗୀ ଜମିରେ ଏହି ପର୍ଯ୍ୟଟନ କେନ୍ଦ୍ର କରାଯାଇଛି। ଫିରୋଜାବାଦ ଜିଲାର ଶିଖୋହାବାଦ ନିକଟରେ ଏହି ଇକୋଟୁରିଜମ୍‌ କେନ୍ଦ୍ର ଖୋଲାଯାଇଛି। ମାର୍ଚ୍ଚ ୨୦୨୩ରେ ଏହାର କାର୍ଯ୍ୟ ଆରମ୍ଭ କରାଯାଇଥିଲା । ବିକାଶ ଏବଂ ତାଙ୍କ ଟିମ୍‌ର ଅକ୍ଳାନ୍ତ ପରିଶ୍ରମରେ ୧୧ ମାସ ପରେ ଏହା ଶେଷ କରାଯାଇଛି। ଚଳିତ ବର୍ଷ ଫେବୃୟାରୀରେ ଏହାର ଉଦ୍‌ଘାଟନ କରାଯାଇଥିଲା ଓ ସେହିଦିନ ୧୦୦ ଲୋକ ସେଠାକୁ ବୁଲିବାକୁ ଯାଇଥିଲେ। ସେଠାରେ ରହିବା ଲାଗି କାଠରେ ତିଆରି ଘର କରାଯାଇଛି। ଏହାବାଦ୍‌ ସ୍ପିଡ୍‌ ବୋଟିଂ, ପକ୍ଷୀ ଦେଖିବା ସ୍ଥାନ ଏବଂ ଗୁମ୍ଫା ଅନ୍ବେଷଣର ସୁବିଧା କରାଯାଇଛି। ଏକ ପ୍ରଜାପତି ପାର୍କ ବି ଅଛି। ଏହି ଅଞ୍ଚଳକୁ ସମ୍ପୂର୍ଣ୍ଣ ପ୍ଲାଷ୍ଟିକ ମୁକ୍ତ କରିବାରେ ବିକାଶ ସକ୍ଷମ ହୋଇପାରିଛନ୍ତି। ସ୍ବୟଂ ସହାୟିକା ଗୋଷ୍ଠୀ ସେଠାରେ ସେମାନଙ୍କ ଦ୍ୱାରା ଉପତ୍ାଦିତ ସାମଗ୍ରୀ ବିକ୍ରି କରୁଛନ୍ତି । ଆଇଏଫ୍‌ଏସ୍‌ ଅଧିକାରୀ ବିକାଶଙ୍କ ଏହି ଇକୋଟୁରିଜମ୍‌ ସେଣ୍ଟରରେ ନିଯୁକ୍ତି ସୃଷ୍ଟି ହେବା ସହ ଜୈବବିବିଧତାର ସୁରକ୍ଷା ମଧ୍ୟ ହୋଇପାରୁଛି।