ଏଇ ଭାରତରେ

ପଚାଶ କି ଶହେ ନୁହେଁ, ୨୩୦ କିସମର ଆମ୍ବ ଚାଷକରି ବର୍ଷକୁ ୪୫ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ଗୁଜରାଟର ସୁମିତ ଝରିଆ । ୧୨.୫ ଏକର ଜମିରେ ସେ ଏହି ଚାଷ କରୁଛନ୍ତି। ତାଙ୍କ ଫାର୍ମଟି ଏକ ଆମ୍ବ ମ୍ୟୁଜିୟମ ପାଲଟିଯାଇଛି। ଏହିି ଫାର୍ମରେ ୧୦୦୦ରୁ ଅଧିକ ଗଛ ଅଛି। ଗିର୍‌ ଫରେଷ୍ଟ ନ୍ୟାଶନାଲ ପାର୍କ ନିକଟସ୍ଥ ଭାଲଚିଲ ଗାଁରେ ଏହି ଫାର୍ମର ରକ୍ଷଣାବେକ୍ଷଣରେ ସୁମିତଙ୍କୁ ତାଙ୍କ ପିତା ସମସୁଦ୍ଦିନ ସହଯୋଗ କରୁଛନ୍ତି। ୧୯୮୫ରେ ସୁମିତଙ୍କ ଜେଜେବାପା ନୁର ଅଲି ବିରା ଝରିଆ ପ୍ରଥମେ ୧୦ ଏକର ଜମି କିଣି ଏହି ଫାର୍ମ ଆରମ୍ଭ କରିଥିଲେ। ସେ ଦେଶର ବିଭିନ୍ନ ସ୍ଥାନରୁ ପ୍ରଥମେ ୧୪ଟି କିସମର ଆମ୍ବ ସଂଗ୍ରହ କରିଥିଲେ। ୧୯୯୦ ସୁଦ୍ଧା ସେ ବର୍ଷକୁ ୧୦,୦୦୦ ଆମ୍ବଚାରା ବିକ୍ରି କରୁଥିଲେ। ଏବେ ବର୍ଷକୁ ୨ ଲକ୍ଷ ଆମ୍ବଚାରା ବିକ୍ରି କରାଯାଉଛି ଓ ୪୫ ଲକ୍ଷ ଟଙ୍କା ଲାଭ ମିଳୁଛି। ଫାର୍ମରେ ଜୈବିକ ପଦ୍ଧତିରେ ୨୩୦ ପ୍ରକାର ଆମ୍ବଚାଷ କରାଯାଉଛି। ଏଥିରେ ଜଳ ସଂରକ୍ଷଣ ଲାଗି ସିଞ୍ଚନ ଜଳସେଚନ ବ୍ୟବସ୍ଥା କରାଯାଇଛି।