ଏଇ ଭାରତରେ

କର୍ତ୍ତବ୍ୟ ହିଁ ଭଗବାନ, ଏହା ଉପଲବ୍ଧି କରିଛନ୍ତି ତାମିଲନାଡୁର ପୋଷ୍ଟମ୍ୟାନ ଡି. ଶିବନ୍‌। ଦୀର୍ଘ ୩୫ ବର୍ଷ ହେବ କାର୍ଯ୍ୟ କରିବା ପରେ ନିକଟରେ ଅବସର ନେଇଛନ୍ତି। ତାଙ୍କୁ ଏବେ ବୟସ ୬୫। ପ୍ରତିଦିନ ପାହାଡ଼ିଆ ରାସ୍ତାରେ ଜଙ୍ଗଲ ମଧ୍ୟରେ ନଦୀ, ଝରଣା ପାର ହୋଇ ଲୋକଙ୍କ ପାଖରେ ଚିଠି ଏବଂ ଚା’ଚାରା ରୋପଣ କରୁଥିବା ଶ୍ରମିକ ଓ ଗ୍ରାମବାସୀଙ୍କ ନିକଟରେ ପେନ୍‌ସନ ପହଞ୍ଚାଉଥିଲେ। ସେ ନୀଳଗିରି ମାଉଣ୍ଟେନ ରେଲଓ୍ବେ ଟ୍ରାକ୍‌ କଡ଼େ କଡ଼େ ଚାଲି ଚାଲି ୧୫ କି.ମି ଯାଆନ୍ତିି। ଟନେଲ ଭିତରେ ୪୦ ମିନିଟ ଗଲା ପରେ ପହଞ୍ଚିଥାନ୍ତି ପ୍ରଥମ ଗାଁରେ। ପରେ ୨୦ ମିନିଟ୍‌ ଚାଲିଲେ ପହଞ୍ଚିଥାନ୍ତି ଏକ ଆଦିବାସୀ ଗାଁରେ। ଏମିତି ସବୁ ଦୁର୍ଗମ ଗାଁକୁ ବୁଲି ବୁଲି ଯିବାକୁ ପଡୁଥିଲା ୧୫ କି.ମି.। ଚାକିିରି କାଳ ମଧ୍ୟରେ କେବେ ବି ସେ ତାଙ୍କ କାର୍ଯ୍ୟଧାରାରେ ପରିବର୍ତ୍ତନ କରି ନ ଥିଲେ। କୋନ୍ନୁରରେ ରହନ୍ତି ଶିବନ୍‌। ସେ ୧୯୮୫ରେ ଷ୍ଟାମ୍ପ ଭେଣ୍ଡର ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ପରେ ୨୫ ବର୍ଷ ଏହି କାର୍ଯ୍ୟ କରିବା ପରେ ହିଲଗ୍ରୋଭ ବ୍ରାଞ୍ଚ ପୋଷ୍ଟ ଅଫିସରେ ଗ୍ରାମୀଣ ଡାକ ସେବକ ଭାବେ ନିଯୁକ୍ତି ପାଇଥିଲେ। ପ୍ରତିଦିନ ୧୦ଟାରେ ତାଙ୍କ ଘର ପାଖରୁ ୧୦ କି.ମି. ଦୂର ହିଲ୍‌ଗ୍ରୋଭ ପୋଷ୍ଟ ଅଫିସକୁ ଯାଇଥାନ୍ତି। ଘରୁ ୪ କି.ମି. ବସ୍‌ରେ ଯିବା ପରେ ବାକି ବାଟ ଚା’ ବଗିଚା ଭିତରେ ଚାଲି ଚାଲି ଯାଆନ୍ତି। ପ୍ଲାଣ୍ଟେସନ ଶ୍ରମିକଙ୍କର ବଞ୍ଚିବାର ଏକମାତ୍ର ରାହା ପେନସନ ହୋଇଥିବାରୁ ସେମାନଙ୍କ ନିକଟରେ ଏହା ପହଞ୍ଚାଇବା ଜରୁରୀ ହୋଇଥାଏ ବୋଲି କହନ୍ତି ଶିବନ୍‌। ତାଙ୍କର ଏଭଳି କର୍ତ୍ତବ୍ୟବୋଧ ତଥା ଦୁଃସାହସିକ କାର୍ଯ୍ୟ ସଭିଙ୍କ ପାଇଁ ପ୍ରେରଣାଦାୟକ।