ଏଇ ଭାରତରେ

ରାସ୍ତାରେ ଯିବା ସମୟରେ ଛକ ବଜାରରେ ଆମେ ଅସହାୟ ପିଲାମାନଙ୍କୁ ଦେଖି ଚାଲିଯାଉ। କିନ୍ତୁ ବାରାଣସୀର ଦମ୍ପତି ଆଶିଷ ଓ ପୂଜା ସିଂଙ୍କର ସେମାନଙ୍କ ପ୍ରତି ଚିନ୍ତାଧାରା ଭିନ୍ନ ରହିଛି। ଆଶିଷ ଜଣେ ଡାକ୍ତର ଓ ତାଙ୍କ ବୟସ ୪୩। ସେ ଓ ତାଙ୍କ ସ୍ତ୍ରୀ୍‌ ଦୀର୍ଘ ୨୦ ବର୍ଷ ହେବ ବାରାଣସୀର ବିଭିନ୍ନ ସ୍ଥାନରୁ ନିଶାସକ୍ତ ଅସହାୟ ପିଲାମାନଙ୍କୁ ଉଦ୍ଧାର କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାରେ ଲାଗିଛନ୍ତି। ଏଯାବତ ଦୁହେଁ ଏଭଳି ୫୦ ଜଣ ପିଲାଙ୍କୁ ଉଦ୍ଧାର କରିସାରିଛନ୍ତି। ପ୍ରଥମେ ୨୦୦୨ରେ ସେମାନେ ବାରାଣସୀ ରେଲଓ୍ବେ ଷ୍ଟେଶନ ନିକଟରୁ ୩ ଜଣ ପିଲାଙ୍କୁ ଉଦ୍ଧାର କରି ନିଜ ଘରେ ରଖିଥିଲେ। ପିଲାମାନଙ୍କୁ ଉଦ୍ଧାର କରିବାରେ ଦମ୍ପତିଙ୍କୁ ବିଭିନ୍ନ ଅଞ୍ଚଳର ଥାନା ମଧ୍ୟ ସହଯୋଗ କରୁଛି। ପରେ ସେ ୨୦ ଜଣ ପିଲାଙ୍କୁ ନିଜ ଘରେ ରଖି ‘କୁମ୍ଭ’ ସଂସ୍ଥା ଗଠନ କରି ତା’ ମାଧ୍ୟମରେ ସେମାନଙ୍କ ସେବା କରିଥିତ୍ଲେ। ସେମାନଙ୍କ ନିଶାଭ୍ୟାସ ଛଡ଼ାଇବା ସହ ଶିକ୍ଷାପ୍ରଦାନ କରିବାର ବ୍ୟବସ୍ଥା କରିଥିଲେ। ୨୦୦୯ରେ ସେମାନେ ୩ ଏକର ଜମିରେ କୁମ୍ଭ ଗ୍ରାମ ନିର୍ମାଣ କରି ସେଠାରେ ଏବେ ୫୦ ଜଣ ପିଲାଙ୍କୁ ଥଇଥାନ କରିଛନ୍ତି। ଜମି ଓ ଘର ପାଇଁ ତାଙ୍କୁ ଦେଶ ବିଦେଶରୁ ଅନୁଦାନ ମିଳୁଛି। ପ୍ରଥମେ ଯେଉଁ ଘରେ ପିଲାମାନଙ୍କୁ ସେମାନେ ଥଇଥାନ କରିଥିଲେ ସେଠାରେ ଆଶିଷ ରୋଗୀ ଚିକିତ୍ସା କରୁଛନ୍ତି । କୁମ୍ଭ ଗ୍ରାମରେ ସେମାନେ ମହିଳାଙ୍କୁ ସିଲାଇ, ଧୂପକାଠି ତିଆରି, ମାଟିପାତ୍ର ଗଢା ସହ ସ୍ବାବଲମ୍ବୀ ହେବା ଭଳି ଅନ୍ୟସବୁ କାର୍ଯ୍ୟ ଉପରେ ପ୍ରଶିକ୍ଷଣ ଦେବାର ବ୍ୟବସ୍ଥା କରିଛନ୍ତି।