ଏଇ ଭାରତରେ

ଅନ୍ଧବିଶ୍ୱାସ ଦୂର ଲାଗି ମଧ୍ୟପ୍ରଦେଶର ଗଙ୍ଗା ରାଜପୁତଙ୍କ ପ୍ରଚେଷ୍ଟା ଉଦାହରଣ ସୃଷ୍ଟି କରିଛି। ଗଙ୍ଗା ରୁହନ୍ତି ବୁନ୍ଦେଲଖଣ୍ଡର ଚୌଧୁରୀ ଖେର ଗାଁରେ। ୧୨ ବର୍ଷ ପୂର୍ବେ ସେ ଏହି ଗାଁକୁ ବୋହୂ ହୋଇ ଆସିଥିଲେ। ସେ ଗାଁ ମହିଳାମାନଙ୍କୁ ଏକାଠି କରି ଅନ୍ଧବିଶ୍ୱାସ ସହ ଜଡିତ ହଜାର ବର୍ଷର ପୁରୁଣା ବାବା ହ୍ରଦର ପୁନରୁଦ୍ଧାର କରିପାରିଛନ୍ତି। ୧୨ ଏକର ପରିମିତ ଏହି ହ୍ରଦ ଗାଁର ଏକମାତ୍ର ଜଳ ଉତ୍ସ। ହ୍ରଦର ପଥର ପାଚେରି ଭାଙ୍ଗିଯାଇ ବର୍ଷାପାଣି ନିକଟସ୍ଥ ବାକିରି ନଦୀକୁ ବୋହିଯାଉଥିତ୍ତ୍ବାରୁ ପ୍ରାୟ ୩୫ ବର୍ଷ ହେବ ଏହା ସମ୍ପୂର୍ଣ୍ଣ ଶୁଖିଲା ପଡ଼ିଥିଲା। ଏହାର ପାଚେରି ନିର୍ମାଣ କରିବାକୁ ଯିଏ ଉଦ୍ୟମ କରନ୍ତି ତାଙ୍କ ପରିବାରର କ୍ଷତି ହୁଏ ବୋଲି ସେଠାରେ ଅନ୍ଧବିଶ୍ୱାସ ରହିଥିଲା। ଏଣୁ ଏହାକୁ କେହି ହେଲେ ନିର୍ମାଣ କରୁ ନ ଥିଲେ। ଏପରି କି ଥରେ ଜଣେ ସରପଞ୍ଚ ଏହାକୁ ନିର୍ମାଣ କରିବାକୁ ଚେଷ୍ଟା କରି ତାଙ୍କ ପିଲାକୁୁ ହରାଇଥିଲେ ବୋଲି କୁହାଯାଉଥିଲା। ସ୍ଥାନୀୟ ଦେବତା ଗୌରବାବାଙ୍କ କୋପରୁ ଏହା ହେଉଥିବାର ଗ୍ରାମବାସୀଙ୍କ ଧାରଣା ରହିଥିଲା। ତେବେ ଗଙ୍ଗାଙ୍କ ନେତୃତ୍ୱରେ ଗାଁର ମହିଳାମାନେ ଏକାଠି ହୋଇ ଅନ୍ଧବିଶ୍ୱାସ ଦୂର କରିବା ସହ ୮ମାସ ମଧ୍ୟରେ ହ୍ରଦର ପୁନରୁଦ୍ଧାର କରିଛନ୍ତି। ଏବେ ଏହା ୨୦୦୦ ଲୋକଙ୍କ ଜଳ ସମସ୍ୟା ଦୂର କରିପାରିଛି। ଭୂତଳ ଜଳସ୍ତର ବଢ଼ିବା ଯୋଗୁ ଲୋକମାନେ ନଳକୂପ ଖୋଳୁଛନ୍ତି। ଚାଷ ପାଇଁ ପର୍ଯ୍ୟାପ୍ତ ପାଣି ମିଳୁଛି। ସେହି ହ୍ରଦରେ ମହିଳାମାନେ ମାଛ ଚାଷ ଆରମ୍ଭ କରିଛନ୍ତି। ସେମାନଙ୍କୁ ପରମାର୍ଥ ସମାଜ ସେବୀ ସଂସ୍ଥା ନାମକ ଏନ୍‌ଜିଓ ସହଯୋଗ କରୁଛି ବୋଲି କହନ୍ତି ୩୦ ବର୍ଷୀୟା ଗଙ୍ଗା।