ଏଇ ଭାରତରେ

ଅସହାୟଙ୍କ ମୁହଁରେ ଆହାର ଦେଉଛନ୍ତି ମୁମ୍ବାଇର ଦମ୍ପତି ପୂଜା ଏବଂ ଦିପେଶ ଡେଧିଆ। ଏହି ଦମ୍ପତି ମାସର ପ୍ରତ୍ୟେକ ରବିବାର ନିଜେ ରୋଷେଇ କରି ୧୦୦ ଜଣଙ୍କୁ ଜଳଖିଆ ଯୋଗାଇ ଦେଉଛନ୍ତି। ପୂଜା ଏବଂ ଦିପେଶ ରବିବାର ସକାଳ ୪ଟାରୁ ଉଠି ଜଳଖିଆ ପ୍ରସ୍ତୁତ କରିବାରେ ଲାଗି ଯାଉଛନ୍ତି। ସକାଳ ୭.୩୦ ସୁଦ୍ଧା ଖାଦ୍ୟ ପ୍ରସ୍ତୁତ ହୋଇଯାଉଛି। ବଡ଼ କଥା ହେଉଛି ଦୁହେଁ ଏହି ଦମ୍ପତି ରୋଷେଇ, ପ୍ୟାକିଂ କରିବା ସହ ଖାଦ୍ୟ ବାଣ୍ଟିବା କାମ କରୁଛନ୍ତି। ଏକ ନିର୍ଦ୍ଦିଷ୍ଟ ଜାଗାରେ ଦିନମଜୁରିଆ ଓ ଅସହାୟମାନଙ୍କୁ ସେମାନେ ଜଳଖିଆରେ ଇଡ୍‌ଲି ଓ ଉପମା ଦେଉଛନ୍ତି। ୨୦୨୩ରେ ଉଭୟଙ୍କ ବିବାହ ହେବା ପରେ ଏହି ସେବା ଲାଗି ସେମାନେ ନିଷ୍ପତ୍ତି ନେଇଥିଲେ ଏବଂ ସେହିବର୍ଷ ୨ ଜୁଲାଇ ପ୍ରଥମ ରବିବାରରେ ଜଳଖିଆ ଦେବା ଆରମ୍ଭ କରିଥିଲେ। ଏବେସୁଦ୍ଧା ସେମାନେ ୧୫,୦୦୦ ଲୋକଙ୍କୁ ଖାଇବାକୁ ଦେଇସାରିଲେଣି। ଏହି ଦମ୍ପତି ମଟୋଶ୍ରୀ ଫାଉଣ୍ଡେଶନ ଗଠନ କରି ତା’ ମାଧ୍ୟମରେ ଏହି କାର୍ଯ୍ୟ ଚଳାଇଛନ୍ତି। ଦୀପେଶ ଏହି ଫାଉଣ୍ଡେଶନର ପ୍ରତିଷ୍ଠାତା ଓ ପୂଜା ଏହାର ସହପ୍ରତିଷ୍ଠାତା ରହିଛନ୍ତି। ଦୀପେଶ ଜଣେ ବ୍ୟାଙ୍କର ଏବଂ ପୂଜା ଜଣେ ଶେଫ୍‌ ଓ ନ୍ୟୁଟ୍ରିଶନିଷ୍ଟ। ସେମାନେ ନିଜ ବୃତ୍ତି ଓ ପରିବାର ଦାୟିତ୍ୱ ତୁଲାଇବା ସହ ଏହି କାର୍ଯ୍ୟ ନିୟମିତ ଭାବେ ନିଜ ଖର୍ଚ୍ଚରେ ତୁଲାଇ ଆସୁଛନ୍ତି।

 

Dharitri – Odisha’s No.1 Odia Daily