ଆଇଏଏସ୍ ଅଧିକାରୀ ଆର୍ମଷ୍ଟ୍ରଙ୍ଗ ପାମେ ମଣିପୁର ତାମେଙ୍ଗଲଙ୍ଗ ଜିଲାର ତୌସେମ୍ରେ ସବ୍ଡିଭିଜନାଲ ମାଜିଷ୍ଟ୍ରେଟ୍ ଭାବେ ୨୦୧୨ରେ ଯୋଗଦେବା ପରେ ନିଜେ ପାଣ୍ଠି ଯୋଗାଡ଼ କରି ଏକ ରାସ୍ତା ନିର୍ମାଣ କରିଥିଲେ। ସେହି ରାସ୍ତା ଥିଲା ତାମେଙ୍ଗଲଙ୍ଗ-ହାଫଲଙ୍ଗକୁ ସଂଯୋଗ କରୁଥିବା ୧୦୦ କିଲୋମିଟର ରାସ୍ତାର ଏକ ଅଂଶ। ପାମେ ରାସ୍ତା ନିର୍ମାଣ ଲାଗି ସରକାରଙ୍କୁ ପାଣ୍ଠି ଯୋଗାଇ ଦେବା ଲାଗି ଅନୁରୋଧ କରିଥିଲେ । ହେଲେ ସରକାର ଦୃଷ୍ଟି ଦେଲେ ନାହିଁ। ଫଳରେ ପାମେ ବ୍ୟକ୍ତିଗତ ଉଦ୍ୟମରେ ଅର୍ଥ ସଂଗ୍ରହ କରି ସେହି ଅଧୁରା ରାସ୍ତାକୁ ସମ୍ପୂର୍ଣ୍ଣ କରିଥିଲେ। ଅର୍ଥ ସଂଗ୍ରହ ନିଜ ପରିବାରରୁ ଆରମ୍ଭ କରିଥିଲେ। ସେ ୫ ଲକ୍ଷ ଓ ତାଙ୍କ ସାନ ଭାଇ ୧ ଲକ୍ଷ ଟଙ୍କା ଏବଂ ବାପାଙ୍କର ୧ ମାସର ପେନ୍ସନ ଦେବା ପରେ ଏକ ଫେସ୍ବୁକ ପେଜ୍ ଖୋଲି ଅର୍ଥ ପାଇଁ ଅନୁରୋଧ କରିଥିଲେ। ଫଳରେ ଦେଶର ବିଭିନ୍ନ ସହର ଏବଂ କାନାଡା, ଆମେରିକା ଓ ବ୍ରିଟେନରୁ ମୋଟ ୪୦ ଲକ୍ଷ ଟଙ୍କା ସଂଗ୍ରହ ପରେ ସେ ଆର୍ଥମୁଭର ଓ ବୁଲଡୋଜର କିଣିିଥିଲେ। ନିକଟସ୍ଥ ଗାଁର ୨୫୦ ଗ୍ରାମବାସୀ ରାସ୍ତା କାମରେ ସହଯୋଗ କରିଥିଲେ। ଫଳରେ ୭ ମାସ ମଧ୍ୟରେ ରାସ୍ତାଟି ସମ୍ପୂର୍ଣ୍ଣ ହୋଇଥିଲା। ଏହି ରାସ୍ତା ଶେଷ ହେବା ପରେ ପାମେ ଡେପୁଟେଶନରେ କେନ୍ଦ୍ରକୁ ଯାଇ ମେ ୨୦୨୬ରେ ପୁନର୍ବାର ନିଜ କ୍ୟାଡରକୁ ଫେରିବା ପରେ ସେହି ରାସ୍ତାର ସ୍ମୃତି ପୁଣି ଉଜାଗର ହୋଇଛି।