ଏଇ ଭାରତରେ

ତ୍ରିପୁରାର ଏକ ଛୋଟ ସହର ଖୋଓ୍ବାଇ। ୧୫ ଓ୍ବାର୍ଡବିଶିଷ୍ଟ ଏହି ସହରର ବର୍ଜ୍ୟ ପରିଚାଳନା ସମ୍ପୂର୍ଣ୍ଣ ଭିନ୍ନ। ଏଠାରେ ମ୍ୟୁନିସିପାଲିଟି ନୁହେଁ, ବରଂ ଏକ ସୋସାଇଟିର ପରିମଳ କର୍ମଚାରୀ ବର୍ଜ୍ୟ ପରିଚାଳନା କରୁଛନ୍ତିି, ଯାହାର ନେତୃତ୍ୱରେ ରହିଛନ୍ତି ୩୯ ବର୍ଷୀୟା ପିଙ୍କି କର ଦେବ। ସେ ୧୦୦ ମହିଳାଙ୍କୁ ନେଇ ସହରର ବର୍ଜ୍ୟ ପରିଚାଳନା କରୁଛନ୍ତି। ମହିଳାମାନେ ସକାଳୁ ବିଭିନ୍ନ ଓ୍ବାର୍ଡର ପ୍ରତ୍ୟେକ ଘରୁ ବର୍ଜ୍ୟ ସଂଗ୍ରହକରି ତାହାକୁ ଓ୍ବାର୍ଡ ସେଣ୍ଟରରେ ପ୍ୟାକିଂ କରିଥାନ୍ତି। ପରେ ତାହାକୁ ଟେରିଟୋରି ଓ୍ବେଷ୍ଟ ସେଣ୍ଟରକୁ ପଠାଯାଏ। ପ୍ରତ୍ୟେକ ପରିବାର ସେମାନଙ୍କ ଘରର ବର୍ଜ୍ୟକୁ ପୃଥକ୍‌ କରି ରଖିଥାନ୍ତି। ଉଠା ଦୋକାନୀଙ୍କୁ ମଧ୍ୟ ବର୍ଜ୍ୟ ରଖିବା ଲାଗି ଡବା ଯୋଗାଇ ଦିଆଯାଇଛି ଏବଂ ସେମାନେ ବର୍ଜ୍ୟକୁ ପୃଥକ୍‌ କରି ରଖୁଛନ୍ତି। ପ୍ରତିଦିନ ୧,୫୦୦ କେଜି ଶୁଖିଲା ଓ ୩୦୦ କେଜି ଓଦା ବର୍ଜ୍ୟ ସଂଗ୍ରହ କରାଯାଉଛି। ସେମାନେ ଏହି ବର୍ଜ୍ୟରୁ ଖତ ପ୍ରସ୍ତୁତକରି ରିସାଇକେଲ କେନ୍ଦ୍ରକୁ ପଠାଇ ଆୟ କରୁଛନ୍ତି। ୨୦୨୬ରେ ଖୋଓ୍ବାଇର ସବ୍‌ଡିଭିଜନାଲ ମାଜିଷ୍ଟ୍ରେଟ୍‌ ନିର୍ମଳ କୁମାର ଖୋଓ୍ବାଇ ‘ଓ୍ବେଷ୍ଟ ଟୁ ଓ୍ବେଲ୍‌ଥ’ ପ୍ରଡ୍ୟୁସର ସୋସାଇଟିି ଗଠନ କରିବା ପରେ ପିଙ୍କି ଏହାର ନେତୃତ୍ୱ ନେଇଛନ୍ତି। ଏହା ପୂର୍ବରୁ ପିଙ୍କି ୯ ବର୍ଷ ଧରି ଏକାକୀ ସକାଳୁ ଖାଲିହାତରେ ତାଙ୍କ ଓ୍ବାର୍ଡ ସଫା କରୁଥିଲେ। ସେତେବେଳେ ତାଙ୍କୁ ଲୋକେ କଚରାଓ୍ବାଲୀ ବୋଲି କହୁଥିଲେ। ଏବେ ପିଙ୍କିଙ୍କ ସମେତ ସମସ୍ତ କର୍ମଚାରୀଙ୍କୁ ଦିଦି ବୋଲି ସମ୍ବୋଧନ କରାଯାଉଛି।

Odisha’s No.1 Odia Daily