ଏଇ ଭାରତରେ

ଜାପାନର କୃଷି ପଦ୍ଧତି ଦ୍ୱାରା ଅନୁପ୍ରାଣିତ ହୋଇ କେରଳର ମହିଳା ଚାଷୀ ଉଷା ଶୋଲାପାନି ଲୋପ ପାଇଯାଉଥିବା ୧୦୦୦ କିସମର ଦେଶୀ ଧାନ ସଂରକ୍ଷଣ କରିବାରେ ସକ୍ଷମ ହୋଇଛନ୍ତି। ୮୦ ଦଶକରେ ପାଲାକଡ଼ରେ କୃଷି ଅଧିକାରୀ ଥିଲେ ଉଷା। ସେହି ସମୟରେ କେମିକାଲ ଫାର୍ମିଂ ବିରୋଧରେ ବିଭିନ୍ନ ପଦ୍ଧତିକୁ ନେଇ ଜାପାନର ‘ଓ୍ବାନ୍‌ ଷ୍ଟ୍ର ରିଭଲ୍ୟୁଶନ’ ନାମକ ଏକ ପୁସ୍ତକ ତାଙ୍କର ହସ୍ତଗତ ହୋଇଥିଲା। ସେହି ପୁସ୍ତକ ଉଷାଙ୍କ ଜୀବନରେ ଭିନ୍ନମୋଡ଼ ଆଣିଥିଲା। କେରଳରେ ରସାୟନମୁକ୍ତ ଧାନ ଚାଷ ଉପରେ ସେ ଗୁରୁତ୍ୱ ଦେଇଥିଲେ। ସେବେଠାରୁ ସେ କେବଳ କେରଳ ନୁହେଁ, ଅନ୍ୟ କେତେକ ରାଜ୍ୟକୁ ଗସ୍ତକରି ଦେଶୀ ଧାନଚାଷ ସହ ଚାଷୀଙ୍କୁ ଜଡ଼ିତ କରୁଛନ୍ତି। ଏହାସହ ଦେଶୀ ଧାନ ବିହନ ସଂରକ୍ଷଣ କରିବାରେ ଲାଗିଛନ୍ତି। ଏଥିପାଇଁ ସେ ‘ସେଭ୍‌ ଆଓ୍ବାର ରାଇସ ନେଟ୍‌ଓ୍ବର୍କ’ ଅଭିଯାନ ଚଳାଇଛନ୍ତି । ଏଥିରେ ବିଭିନ୍ନ ରାଜ୍ୟରେ ରାଇସ୍‌ ଡାଇଭର୍ସିଟି ବ୍ଲକ୍‌ ଗଠନ କରାଯାଇଛି, ଯେଉଁଠି ଦେଶୀ ଧାନ ଚାଷ ହେବା ସହ ତାହାର ସଂରକ୍ଷଣ କରାଯାଉଛି। ଏହିସବୁ ବ୍ଲକର ଗୋଷ୍ଠୀଗତ ଭାବେ ପରିଚାଳନା କରାଯାଉଛି। ଏଥିରେ ଉଷାଙ୍କୁ ‘ଥାନଲ’ ନାମକ ଏନ୍‌ଜିଓ ସହଯୋଗ କରୁଛି। କେରଳ ବ୍ୟତୀତ କର୍ନାଟକ, ତାମିଲନାଡୁ, ଛତିଶଗଡ଼, ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗରେ ପାଖାପାଖି ୩୦,୦୦୦ କୃଷକ ରାଇସ ଡାଇଭର୍ସିଟି ବ୍ଲକ ପରିଚାଳନା କରୁଛନ୍ତି । ଏବେ ସୁଦ୍ଧା ସେମାନଙ୍କ ଉଦ୍ୟମରେ ୧,୦୦୦ରୁ ଊର୍ଦ୍ଧ୍ୱ କିସମ ଦେଶୀ ଧାନ ସଂଗ୍ରହ କରାଯାଇ ସଂରକ୍ଷିତ କରାଗଲାଣି।

 

Dharitri – Odisha’s No.1 Odia Daily