ଏଇ ଭାରତରେ

କେହି ଯଦି ଆପଣଙ୍କୁ ପଚାରେ କି ଆପଣ ୨୬ ଜାନୁୟାରୀକୁ ଦେଖିଛନ୍ତି! ତା’ହେଲେ ଆପଣଙ୍କୁ ପ୍ରଶ୍ନଟା ହୁଏତ ଅଜବ ମନେ ହୋଇପାରେ। କିନ୍ତୁ ପ୍ରକୃତରେ ଏଇ ଭାରତରେ ଏମିତି ଜଣେ ବ୍ୟକ୍ତି ଅଛନ୍ତି, ଯାହାଙ୍କର ନାଁ ହେଉଛି ୨୬ ଜାନୁୟାରୀ। ମଧ୍ୟପ୍ରଦେଶର ମନ୍ଦସୋର ଜିଲାରେ ଥିବା ଶିକ୍ଷା ଏବଂ ପ୍ରଶିକ୍ଷଣ ସଂସ୍ଥାରେ କାମ କରୁଥିବା ଜଣେ ବ୍ୟକ୍ତିଙ୍କର ନାଁ ହେଉଛି ୨୬ ଜାନୁୟାରୀ। ଏଭଳି ଅଜବ ନାଁ ଥିବା ବ୍ୟକ୍ତିଙ୍କର ଜନ୍ମ ହୋଇଥିଲା ୧୯୬୬ ମସିହା ଜାନୁୟାରୀ ୨୬ ତାରିଖରେ। ତାଙ୍କ ବାପା ଜଣେ ଆଦର୍ଶ ଶିକ୍ଷକ ଥିଲେ। ତେଣୁ ଦେଶପ୍ରେମରେ ଉଦ୍‌ବୁଦ୍ଧ ହୋଇ ଶିକ୍ଷକ ବାପା ପୁଅର ଏଭଳି ନାଁ ରଖିଥିଲେ। ତେବେ ଉକ୍ତ ନାଁ ପାଇଁ ୨୬ ଜାନୁୟାରୀଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି। ଛୋଟବେଳେ ସାଙ୍ଗମାନେ ତାଙ୍କ ନାଁକୁ ନେଇ ବହୁ ମଜା କରିଛନ୍ତି। ଏହା ସହିତ ବ୍ୟାଙ୍କରେ ଆକାଉଣ୍ଟ ଖୋଲିବା ସମୟରେ କିମ୍ବା ଅନ୍ୟ କେତେକ ସ୍ଥାନରେ ବି ତାଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା। କିନ୍ତୁ ବାପାଙ୍କୁ ସମ୍ମାନ ଜଣାଇ ସେ ତାଙ୍କ ନାଁ ପରିବର୍ତ୍ତନ କରି ନ ଥିଲେ। ପରେ ୨୬ ଜାନୁୟାରୀଙ୍କ ଭଦ୍ର ବ୍ୟବହାରରେ ତାଙ୍କର ଆଦର ବଢିଥିଲା। ଭଲ ବ୍ୟବହାର ପାଇଁ ତାଙ୍କୁ ସ୍ଥାନୀୟ କଲେକ୍ଟର ମଧ୍ୟ ପ୍ରଶଂସା କରିଛନ୍ତି। ଗଣତନ୍ତ୍ର ଦିବସରେ ପତାକା ଉତ୍ତୋଳନ ପରେ ୨୬ ଜାନୁୟାରୀଙ୍କ ଜନ୍ମଦିନକୁ ତାଙ୍କ ଅଫିସରେ ଧୁମଧାମର ସହ ପାଳନ କରାଯାଏ।