କେରଳମର ଯୁବ ଫଟୋଗ୍ରାଫର ନନ୍ଦୁ କେ.ଏସ୍. କହନ୍ତି, କ୍ୟାମେରା କେବଳ ସୁନ୍ଦର ଦୃଶ୍ୟ ଉତ୍ତୋଳନ ପାଇଁ ନୁହେଁ; ବରଂ ଏହା ସ୍ବଚ୍ଛତା, ଏକତା ଆଣିପାରେ, ପଦକ୍ଷେପ ପାଇଁ ବାଟ ଫିଟାଇ ଦିଏ ଏବଂ ନଜର ଆଢ଼ୁଆଳରେ ରହିଯାଉଥିବା କୌଣସି ଜୀବନ ଗାଥାକୁ ସାମ୍ନାକୁ ଆଣିପାରେ। ଏହା କହିବାର ତାତ୍ପର୍ଯ୍ୟ ହେଉଛି, ନନ୍ଦୁ ଏମିତି ଜଣେ ବ୍ୟକ୍ତିର ଫଟୋକୁ ସାମ୍ନାକୁ ଆଣିଛନ୍ତି, ଯାହାଙ୍କୁୁ ନେଇ ଏବେ ପ୍ରଶଂସାର ସୁଅ ଛୁଟିଛି। ସେହି ବ୍ୟକ୍ତି ଜଣକ ହେଉଛନ୍ତି ଏନ୍.ଏସ୍. ରାଜପ୍ପାନ। ସେ ଜଣେ ନିଆର ବ୍ୟକ୍ତିତ୍ୱ। ରାଜପ୍ପାନ ପିଲାଦିନରୁ ପକ୍ଷାଘାତର ଶିକାର ହୋଇ ଏକ ଭିନ୍ନ ଜୀବନ ଜିଇବାକୁ ପ୍ରୟାସ ଜାରି ରଖିଛନ୍ତି। ପ୍ରତିଦିନ ସକାଳୁ ସେ ତାଙ୍କ ଘରପାଖରେ ପ୍ରବାହିତ ମିନାଚ୍ଛିଲ ନଦୀକୁ ଯାଇ ଡଙ୍ଗାରେ ପ୍ଲାଷ୍ଟିକ ବୋତଲ ଏବଂ ଅନ୍ୟାନ୍ୟ ବର୍ଜ୍ୟ ସଂଗ୍ରହ କରୁଛନ୍ତି। ପରେ ତାହାକୁ ରିସାଇକ୍ଲିଂ କେନ୍ଦ୍ରରେ ଦେଉଛନ୍ତି। ଏଥିରୁ ରୋଜଗାର କରିବା ତାଙ୍କ ଲକ୍ଷ୍ୟ ନୁହେଁ, ବରଂ ପରିବେଶ ସ୍ବଚ୍ଛତାକୁ ଜୀବନର ବ୍ରତ ଭାବେ ଗ୍ରହଣ କରି ୬୯ ବର୍ଷ ବୟସରେ ବି ସେ ଏହି କାର୍ଯ୍ୟ ଜାରି ରଖିଛନ୍ତି। ଦୀର୍ଘଦିନ ହେଲା ଏହି କାର୍ଯ୍ୟ ସେ କରିଆସୁଥିଲେ ବି ଲୋକଙ୍କ ନଜର ଆଢ଼ୁଆଳରେ ରହିଯାଇଥିଲେ। ତେବେ ନନ୍ଦୁଙ୍କ କ୍ୟାମେରା ହିଁ ତାଙ୍କ କାର୍ଯ୍ୟକୁ ଜନସ୍ବୀକୃତି ଦେଇପାରିଛି।