ଏଇ ଭାରତରେ

ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ପରିବାର ପ୍ରଚେଷ୍ଟାରେ ମହାରାଷ୍ଟ୍ର ରାଜ୍ୟ ପୁଣେର ଜୁନ୍ନାର ପାହାଡ଼ ଏବେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଏହାର ସବୁଜ ଆକର୍ଷଣ ପର୍ଯ୍ୟଟକଙ୍କୁ ବିମୋହିତ କରୁଛି। ସେନାରୁ ଅବସର ନେଇଥିବା ରମେଶ ଖାରମେଲ, ତାଙ୍କ ସ୍ତ୍ରୀ ସ୍ବାତି ଏବଂ ସନ୍ତାନ ମୟୂରେଶ ଓ ବୈଷ୍ଣବୀ ଜୁନ୍ନାର ପାହାଡ଼ ଚାରିପାଖରେ ୭୦ଟି ଖାଇ ଖୋଳି ସାରିଲେଣି। ଖାଇ କଡ଼ରେ ସେ ୧୩ ପ୍ରକାରର ୪୫୦ ଗଛ ଲଗାଇଛନ୍ତି ଓ ଆଗକୁ ଆଉ ଅଧିକ ଗଛ ଲଗାଇବା ପାଇଁ ଯୋଜନା ରଖିଛନ୍ତି। ମହାରାଷ୍ଟ୍ର ସରକାର ଜୁନ୍ନାର ପାହାଡ଼କୁ ପର୍ଯ୍ୟଟନ ସ୍ଥଳୀ ଭାବେ ଘୋଷଣା କରିଛନ୍ତି। ରମେଶ ସେନାରୁ ଅବସର ନେଇ ଘରକୁ ଫେରିବା ପରେ ଜୁନ୍ନାର ପାହାଡ଼କୁ ଦେଖି ତାହାର ସୌନ୍ଦର୍ଯ୍ୟ ବୃଦ୍ଧି କରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ। ତାଙ୍କ ଲକ୍ଷ୍ୟ ପୂରଣ କରିବା ପାଇଁ ସେ ପରିବାର ସହିତ ସପ୍ତାହାନ୍ତେ କୋଦାଳ, ଶାବଳ, କୋଡ଼ି ଓ ଝୁଡ଼ି ଧରି ଖାଇ ଖୋଳିବାକୁ ବାହାରି ଯାଉଥିଲେ। ଏବେ ବି ସେହି କାର୍ଯ୍ୟ ଜାରି ରଖିଛନ୍ତି। ବଡ଼ କଥା ହେଉଛି, ସେ ଖୋଳିସାରିଥିବାଏ ୭୦ଟି ଖାଇରେ ୮ ଲକ୍ଷ ଲିଟର ବର୍ଷାଜଳ ଗଚ୍ଛିତ ରହିପାରୁଛି। ରମେଶ ସ୍କୁଲକୁ ଯାଇ ପରିବେଶ ସୁରକ୍ଷା ଓ ବୃକ୍ଷରୋପଣ ସମ୍ପର୍କରେ ପିଲାମାନଙ୍କୁ ସଚେତନ କରୁଛନ୍ତି।

 

Dharitri – Odisha’s No.1 Odia Daily