ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ ଠିଆହୋଇ କିଛି ଜିନିଷ ଖୋଜୁଥିବା ଦୃଶ୍ୟ ସେ ଦେଖିବାକୁ ପାଇଥିଲେ। ସେହି ମହିଳା ଜଣକ ଉକ୍ତ ଅଦରକାରୀ ଜିନିଷ ବିକିବାକୁ ଚାହୁଁଥିବା ତାଙ୍କଠାରୁ ଜାଣିପାରିଥିଲେ। ତା’ପରେ ଜାଣିବାକୁ ପାଇଲେ ଯେ ବେଙ୍ଗାଲୁରୁରେ ଥିବା ଅନେକ ଅଳିଆଗଦା ସଂସ୍ପର୍ଶରେ ଆସୁଥିବା ବହୁ ବ୍ୟକ୍ତିଙ୍କ ଜୀବନ ଦୁର୍ବିସହ ହୋଇଯାଉଛି। ଏଣୁ ବର୍ଜ୍ୟ ସମସ୍ୟାର ସମାଧାନ ଲାଗି ଡ. ଶାନ୍ତି ଚାକିରି ଛାଡ଼ି ଘରକୁ ଘର ବୁଲି କିଭଳି ତରଳ, କଠିନ ଏବଂ ବିପଜ୍ଜନକ ବର୍ଜ୍ୟର ପୃଥକୀକରଣ ହେବ ସେ ସମ୍ପର୍କରେ ଲୋକଙ୍କୁ ସଚେତନ କରିବାକୁ ଲାଗିଲେ। ପ୍ରାରମ୍ଭିକ ପର୍ଯ୍ୟାୟରେ ତାଙ୍କୁ କେହି ସମର୍ଥନ କରୁ ନ ଥିଲେ, ବରଂ ଏହା ସେ ରାଜନୀତି ପାଇଁ କରୁଛନ୍ତି ବୋଲି ଚର୍ଚ୍ଚ ହେଉଥିଲା। ପରେ ସେ ଏଚ୍ସିଆର ଫୋରମ୍ ଗଠନ କରି ତା’ ମାଧ୍ୟମରେ ୧ ଲକ୍ଷରୁ ଅଧିକ ବେଙ୍ଗାଲୁରୁବାସୀଙ୍କୁ ବର୍ଜ୍ୟ ପୃଥକୀକରଣ ସମ୍ପର୍କରେ ସଚେତନ କରିପାରିଛନ୍ତି। କେବଳ ଏତିକି ନୁହେଁ, ବର୍ଜ୍ୟରୁ ଖତ ପ୍ରସ୍ତୁତ କରିବାର ଉପାୟ ମଧ୍ୟ ଲୋକଙ୍କୁ ଶିଖାଉଛନ୍ତି। ଏଥିପାଇଁ କମ୍ପୋଷ୍ଟ ଲର୍ନିଂ ସେଣ୍ଟର ମଧ୍ୟ ସେ ପ୍ରତିଷ୍ଠା କରିଛନ୍ତି।

