ଏଇ ଭାରତରେ

ଜୀବିକା ପାଇଁ ଭାରତରେ ବହୁ ମହିଳା ଅଟୋରିକ୍ସା ଚଳାଉଛନ୍ତି କିନ୍ତୁ ମଣିପୁରର ଲାଇବି ଓଇନାମ୍‌ ଏମାନଙ୍କ ମଧ୍ୟରେ ସମ୍ପୂର୍ଣ୍ଣ ଭିନ୍ନ। ମଣିପୁରର ପ୍ରଥମ ମହିଳା ଅଟୋଚାଳକ ହେଉଛନ୍ତି ଲାଇବି। ଜଣେ ନର୍ସ କୋଭିଡ୍‌-୧୯ରେ ଆକ୍ରାନ୍ତ ହେବା ପରେ ତାଙ୍କୁ ତାଙ୍କ ଘରେ ପହଞ୍ଚାଇବା ଲାଗି ହସ୍ପିଟାଲ କର୍ମଚାରୀ ତଥା ଅନ୍ୟ ଅଟୋ ଡ୍ରାଇଭରମାନେ ମନା କରିବା ପରେ ଲାଇବି ଇମ୍ଫାଲରୁ କାମଜୋଙ୍ଗ ଯାଏ ରାତିରେ ୧୪୦ କି.ମି. ନେଇ ତାଙ୍କ ଘରେ ପହଞ୍ଚାଇଛନ୍ତି। ଏଥିପାଇଁ ତାଙ୍କୁ ମଣିପୁର ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ ସିଂ ୧.୧ ଲକ୍ଷ ଟଙ୍କା ପୁରସ୍କାର ଦେଇଛନ୍ତି। ଲାଇବିଙ୍କୁ ଏବେ ବୟସ ୪୪। ସେ ଆଠ ବର୍ଷ ତଳେ ଏକ ଇଟାଭାଟିରେ କାମ କରୁଥିଲେ। ସେତେବେଳେ ତାଙ୍କ ସ୍ବାମୀ ଡାଇବେଟିସରେ ପୀଡିତ ହେବା ପରେ ଦୁର୍ବଳ ହୋଇଗଲେ ଓ ଘରୁ ବାହାରି ପାରିଲେ ନାହିଁ। ଘରଚଳିବା ଲାଗି ଲାଇବି ଅଟୋ ଚଳାଇବା ଆରମ୍ଭ କରିଥିଲେ । ତାଙ୍କ ଜୀବନୀ ଉପରେ ଲିନା ଲଙ୍ଗଜାମ ୨୦୧୫ ଏକ ଡକ୍ୟୁମେଣ୍ଟାରି ପ୍ରସ୍ତୁତ କରିଥିଲେ, ଯାହା ନନ୍‌-ଫିଚର କ୍ୟାଟେଗୋରିରେ ଜାତୀୟ ପୁରସ୍କାର ପାଇଥିତ୍ଲା।