ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି ଟାଇଗର ଓ୍ୱିଡୋଜ। ପରିବାରରେ ରୋଜଗାରିଆ ସ୍ୱାମୀଙ୍କୁ ହରାଇବା ପରେ ଟାଇଗର ଓ୍ୱିଡୋଜଙ୍କୁ ସରକାର କିଛି ଟଙ୍କା ଓ ଖାଦ୍ୟସାମଗ୍ରୀ ଯୋଗାଉଛନ୍ତି। ହେଲେ ଏହା ସେମାନଙ୍କ ପାଇଁ ଯଥେଷ୍ଟ ହେଉ ନ ଥିବାବେଳେ ସେମାନେ ଏବେ ମହୁଚାଷ କରି ସ୍ୱାବଲମ୍ୱୀ ହୋଇପାରିଛନ୍ତି। ଏବେ ସୁଦ୍ଧା ସୁନ୍ଦରବନ ଅଞ୍ଚଳରେ ଥିବା ମୋଟ ୩୦୦୦ ଟାଇଗର ଓ୍ୱିଡୋଜଙ୍କ ମଧ୍ୟରୁ ୫୦୦ ମହିଳା ମହୁଚାଷ କରି ପରିବାର ଚଳାଉଛନ୍ତି। ମହିଳାଙ୍କୁ ମହୁଚାଷରେ ସହଯୋଗ କରୁଛନ୍ତି ନୀତି ଗୋୟଲ। କେବଳ ଏତିକି ନୁହେଁ, ସେମାନେ ମଧ୍ୟ ମାଛଚାଷ କରୁଛନ୍ତି । ସୁନ୍ଦରବନ ନିକଟରେ ଥିବା ହୋଟେଲଗୁଡ଼ିକୁ ସେମାନେ ମାଛ ଯୋଗାଇ ଲାଭ କରୁଛନ୍ତି। ତେବେ ସମସ୍ତ ୩୦୦୦ ଟାଇଗର ଓ୍ୱିଡୋଜଙ୍କୁ ପର୍ଯ୍ୟାୟକ୍ରମେ ସଶକ୍ତ କରିବା ଲକ୍ଷ୍ୟରେ ନୀତି ଯୋଜନା ପ୍ରସ୍ତୁତ କରିଛନ୍ତି।


