ଗୁଣାତ୍ମକ ଶିକ୍ଷାର ମହତ୍ତ୍ୱ ବୁଝିଛନ୍ତି କର୍ନାଟକର ସୁଦର୍ଶନ ସଞ୍ଚାରୀ। ତାଙ୍କୁ ଏବେ ବୟସ ୨୮। ପିଲାଦିନେ ପଢୁଥିବା ତାଙ୍କ ଗାଁ ସ୍କୁଲର ପୁନଃ ନର୍ମାଣ ପାଇଁ ସେ ସାଇକେଲରେ ବୁଲି ପାଣ୍ଠି ସଂଗ୍ରହ କରୁଛନ୍ତି। ସୁଦର୍ଶନ ଗତ ୪ ବର୍ଷ ମଧ୍ୟରେ ନେପାଳ, ଶ୍ରୀଲଙ୍କା, ସିଙ୍ଗାପୁର, ମାଲେସିଆ, ଥାଇଲାଣ୍ଡ, ଲାଓସ, ଭିଏଟ୍ନାମ ଏବଂ କାମ୍ବୋଡିଆ ୬୦,୦୦୦ କି.ମି. ଯାତ୍ରା କରିସାରିଲେଣି। କୌତୂହଳର କଥା ହେଉଛି, ସେ ଯେଉଁଆଡ଼େ ଯାଉଛନ୍ତି ତାଙ୍କ ପୋଷା କୁକୁରକୁ ନେଇଯାଉଛନ୍ତି। ଖରା, ବର୍ଷା ଓ ଶୀତକୁ ଖାତିର ନ କରି ତାଙ୍କ ଗାଁ ଚିତ୍ରଦୁର୍ଗାର ଶ୍ରୀ କରିଆମ୍ବା ହାଇସ୍କୁଲର ବିକାଶ ସକାଶେ ସେ ତାଙ୍କ ଲକ୍ଷ୍ୟପଥରେ ଆଗେଇ ଚାଲିଛନ୍ତି। ଏହି ସ୍କୁଲରେ ତାଙ୍କ ପିତା, ବଡ଼ ଭାଇ ଓ ସେ ପଢ଼ିଛନ୍ତି। ସୁଦର୍ଶନ ଏହି ସ୍କୁଲକୁ ଯାଇଥିଲେ ଓ ସ୍କୁଲ କାନ୍ଥ ଫାଟିଥିବା, ଛାତରୁ ପାଣି ଗଳୁଥିବା ଦେଖିବାକୁ ପାଇଥିଲେ। ସ୍କୁଲର ବେଞ୍ଚ ଓ ଡେସ୍କ ଭାଙ୍ଗିରୁଜି ଯାଇଥିବା ବି ଦେଖିବାକୁ ପାଇଥିଲେ। ଏଭଳି ସ୍ଥିତି ଦେଖିବା ପରେ ସେ ଏହି ସ୍କୁଲର ପୁନଃନର୍ମାଣ ପାଇଁ ନିଷ୍ପତ୍ତି ନେଇଥିଲେ। ନିଜ ହାତରୁ ଖର୍ଚ୍ଚକରି କିଛି ବେଞ୍ଚ ଡେସ୍କ ମରାମତି କରିଥିଲେ। ସେ ଜଣେ ସେଲ୍୍ସ ମ୍ୟାନ ଭାବେ କାମ କରୁଥିବାରୁ ସ୍କୁଲ ମରାମତି ପାଇଁ ତାଙ୍କ ପାଖରେ ଅର୍ଥର ଅଭାବ ରହିଥିଲା। ଏଣୁ ଅର୍ଥ ପାଇଁ ପ୍ରଥମେ ସେ କନ୍ୟାକୁମାରୀଠାରୁ ସାଇକେଲ ଯାତ୍ରା ଆରମ୍ଭ କରିଥିଲେ। ଏବେ ସେ ଦକ୍ଷିଣ ଆଫ୍ରିକାର କେପଟାଉନ ଅଭିମୁଖେ ଯାତ୍ରା ଜାରି ରଖିଛନ୍ତି।


