ଏଇ ଭାରତରେ

ବହୁ ଅସହାୟ ବରିଷ୍ଠ ନାଗରିକ ଏବେ ଅବହେଳିତ ଅବସ୍ଥାରେ ରହୁଥିବା ଦେଖାଯାଉଛି। ଏମାନଙ୍କ ସୁରକ୍ଷା ସୁନିଶ୍ଚିତ କରୁଥିବା କେତେଜଣ ବ୍ୟକ୍ତିଙ୍କ ମଧ୍ୟରେ ଗୁଜରାଟର ରାକେଶ ପାଞ୍ଚାଲ ଅନ୍ୟତମ। ରାକେଶଙ୍କ ବୟସ ୪୪। ସେ ଅସହାୟ ବରିଷ୍ଠ ନାଗରିକଙ୍କୁ ମାଗଣାରେ ଖାଦ୍ୟ ଯୋଗାଉଛନ୍ତି। ଗୁଜରାଟର ଭାସୋ ବ୍ଲକରେ ରାକେଶ ଏବେ ୫୦୦ରୁ ଅଧିକ ବରିଷ୍ଠ ନାଗରିକଙ୍କ ନିକଟରେ ପ୍ରତିଦିନ ଖାଦ୍ୟ ପହଞ୍ଚାଉଛନ୍ତି। ସେ ତାଙ୍କ ପିତାଙ୍କ ନିର୍ମାଣ ଉପକରଣ ବ୍ୟବସାୟରେ ପ୍ରଥମେ କାମ କରୁଥିଲେ। ସେହି ସମୟରେ ଏହି ସେବା କରିବା ଲାଗି ନିଷ୍ପତ୍ତି ନେଇଥିଲେ ଓ ତାଙ୍କ ପିତାଙ୍କ ଦେହାନ୍ତ ପରେ ଏହା ଆରମ୍ଭ କରିଥିଲେ। କାରଣ ଗରିବଙ୍କୁ ମାଗଣାରେ ଖାଦ୍ୟ ଦେବା ତାଙ୍କ ପିତାଙ୍କ ଇଚ୍ଛା ଥିଲା। ପ୍ରଥମେ ରାକେଶ ହସ୍ପିଟାଲରେ ପ୍ରସୂତିମାନଙ୍କୁ ଖେରା( ଘିଅ, ଚିନି ଓ ଡ୍ରାଏଫ୍ରୁଟ୍ସରେ ତିଆରି) ଲଡୁ ଦେଉଥିଲେ। ପରେ ହସ୍ପିଟାଲକୁ ଦୂରରୁ ଆସୁଥିବା କିଛି ଲୋକଙ୍କୁ ମାଗଣାରେ ଖାଦ୍ୟ ଦେବା ଆରମ୍ଭ କଲେ। ଏବେ ସେ ‘ଭିସାମୋ ସାର୍ବଜନିକ ଚାରିଟେବ୍‌ଲ ଟ୍ରଷ୍ଟ’ ଗଠନ କରି ତା’ମାଧ୍ୟମରେ ରନ୍ଧାଖାଦ୍ୟ ଯୋଗାଉଛନ୍ତି। ମୁଖ୍ୟତଃ ଭାତ, ରୁଟି, ଡାଲି ଓ ତରକାରି ସେ ଦେଉଛନ୍ତି। ଗାଡ଼ିରେ ନେଇ ବରିଷ୍ଠ ନାଗରିକଙ୍କ ନିକଟରେ ପହଞ୍ଚାଇ ଦେଉଛନ୍ତି। ଏବେ ଏଥିପାଇଁ ସେ ଦୈନିକ ୨୧,୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି। ରୋଷେଇ ଓ ଖାଦ୍ୟ ବିତରଣରେ ସାହାଯ୍ୟ କରିବା ଲାଗି ସେ ଲୋକ ନିଯୁକ୍ତ କରିଛନ୍ତି।