ଏଇ ଭାରତରେ

ବୋନ୍‌ କ୍ୟାନ୍‌ସରରେ ପୀଡ଼ିତ ହୋଇ ବି ହାର୍‌ ମାନିନାହାନ୍ତି ଉତ୍ତରପ୍ରଦେଶର ସନ୍ଦୀପ କୁମାର। ଗ୍ରାମୀଣ ଅଞ୍ଚଳରେ ସ୍ବାସ୍ଥ୍ୟସେବାର ଆବଶ୍ୟକତାକୁ ଉପଲବ୍ଧି କରି ସେ ସେଠାରେ ଏହାକୁ ପହଞ୍ଚାଇବାରେ ଲାଗିଛନ୍ତି। ଏହି କାର୍ଯ୍ୟ ସେ ନିଆରା ଢଙ୍ଗରେ କରୁଛନ୍ତି। ଗ୍ରାମୀଣ ଲୋକମାନଙ୍କୁ ସହରରେ ରହୁଥିବା ପ୍ରତିଷ୍ଠିତ ଡାକ୍ତରମାନଙ୍କ ସହ ପରାମର୍ଶ କରିବାର ସୁଯୋଗ ସୃଷ୍ଟି କରୁଛନ୍ତି। ସନ୍ଦୀପ ଏଥିପାଇଁ ‘ଡିଜି ସ୍ବାସ୍ଥ୍ୟ’ଅଭିଯାନ ଆରମ୍ଭ କରିଛନ୍ତି। ଏହା ମାଧ୍ୟମରେ ଡାକ୍ତରଙ୍କ ସହ ରୋଗୀମାନେ ପରାମର୍ଶ କରିବା ଲାଗି କୌଣସି ଦେୟ ଦେବାକୁ ପଡ଼ୁନାହିଁ। ଏବେ ସୁଦ୍ଧା ସେ ୨୮,୦୦୦ ରୋଗୀଙ୍କୁ ମାଗଣା ଚିକିତ୍ସା ସେବା ଯୋଗାଇ ସାରିଲେଣି। ସନ୍ଥ କବିର ନଗର ଜିଲାର କଥାଇଚା ଗଁାରେ ଜନ୍ମିତ ସନ୍ଦୀପଙ୍କୁ ଚିକିତ୍ସା ପାଇଁ ୪୦ କି.ମି. ଯିବାକୁ ପଡ଼ୁଥିଲା ଓ ପରେ ସେ ସୁସ୍ଥ ହୋଇପାରିଥିଲେ। ଏହି ସମୟରେ ଗ୍ରାମୀଣ ରୋଗୀମାନଙ୍କ ଅସହାୟତାକୁ ସେ ନିକଟରୁ ଲକ୍ଷ୍ୟ କରିପାରିଥିଲେ। ୨୦୨୦ କୋଭିଡ୍‌ ମହାମାରୀ କଟକଣା ବେଳେ ସେ ଗାଁକୁ ଫେରିଆସି ପ୍ରଥମେ ୪ ଲକ୍ଷ ଟଙ୍କା ହାତରୁ ଖର୍ଚ୍ଚ କରି ଏକ ଟେଲିକନ୍‌ସଲଟେଶନ ସେଣ୍ଟର ଖୋଲିଲେ। ଏବେ ଉତ୍ତରପ୍ରଦେଶରେ ୫ଟି ସେଣ୍ଟର ଖୋଲିସାରିଲେଣି ଓ ଏସବୁରେ ସେ ୧୩୭ ସ୍ବାସ୍ଥ୍ୟକର୍ମୀଙ୍କୁ ସେବାରେ ନିୟୋଜିତ କରିଛନ୍ତି।