ଏଇ ଭାରତରେ

ଶିକ୍ଷକ ଚାକିରି ଛାଡ଼ି ରସିକ ନାକୌମ ବିନା ମାଟିରେ ଅର୍ଥାତ୍‌ କେବଳ ପାଣିରେ (ହାଇଡ୍ରୋପୋନିକ) ପଦ୍ଧତିରେ ଚାଷ କରୁଛନ୍ତି। କେବଳ ଏତିକି ନୁହେଁ, ରସିକ ଗତ ୫ ବର୍ଷ ମଧ୍ୟରେ ୫୦୦୦ ଲୋକଙ୍କୁ ହାଇଡ୍ରୋପୋନିକ ଚାଷ ସମ୍ପର୍କରେ ପ୍ରଶିକ୍ଷଣ ଦେଇସାରିଲେଣି। ରସିକ ରହନ୍ତି ରାଜକୋଟ୍‌ରେ। ତାଙ୍କ ପରିବାରର ମୁଖ୍ୟ ଆୟର ଉତ୍ସ ହେଉଛି କୃଷି। ଏଣୁ ସେ ସରକାରୀ ଶିକ୍ଷକ ଚାକିରି ଛାଡ଼ି କୃଷି କ୍ଷେତ୍ରକୁ ଆସିଛନ୍ତି ବୋଲି କୁହନ୍ତି। ଅନେକଙ୍କ ପାଖରେ ଜମି ନ ଥିଲେ ବି ସେମାନେ କିଭଳି କମ୍‌ ଜାଗାରେ ଚାଷ କରି ଆୟ କରିବେ, ସେଥିପାଇଁ ସେମାନଙ୍କୁ ରସିକ ହାଇଡ୍ରୋପୋନିକ ପଦ୍ଧତିରେ ଚାଷ କରିବା ଲାଗି ଉତ୍ସାହିତ କରିବା ସହ ବିନା ଦେୟରେ ପ୍ରଶିକ୍ଷଣ ଦେଉଛନ୍ତି। ବିଶେଷକରି ଗୁଜରାଟର ବିଭିନ୍ନ ବିଶ୍ୱବିଦ୍ୟାଳୟ ମାଧ୍ୟମରେ ସେ କୃଷକ ଓ ଛାତ୍ରମାନଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି। ମାରୁତି ନନ୍ଦନ ଚାରିଟେବଲ ଟ୍ରଷ୍ଟ ମାଧ୍ୟମରେ ସେ ଏହି କାର୍ଯ୍ୟ କରୁଛନ୍ତି। ତାଙ୍କ ଅଗଣାରେ ହାଇଡ୍ରୋପୋନିକ ପଦ୍ଧତିରେ ପୋଇ, ଧନିଆ, ଲଙ୍କା, ବାଇଗଣ, ଷ୍ଟ୍ରବେରି ଆଦି ୨୫ରୁ ଅଧିକ ପ୍ରକାର ପରିବା ଉତ୍ପାଦନ କରୁଛନ୍ତି। ରସିକଙ୍କର ଏହି ହାଇଡ୍ରୋପୋନିକ ଫାର୍ମକୁ ବହୁ କୃଷି ବିଜ୍ଞାନୀ ଓ ଚାଷୀ ଦେଖିବାକୁ ଆସୁଛନ୍ତି।