ଏଇ ଭାରତରେ

ଟେକ୍ସଟାଇଲ ଶିଳ୍ପରୁ ବର୍ଜ୍ୟ କପଡ଼ା ସଂଗ୍ରହ କରି ସେଥିରୁ ଷ୍ଟେସ୍‌ନେରି ଉତ୍ପାଦ ପ୍ରସ୍ତୁତ କରୁଛନ୍ତି ସୁରଟର ରାଶି ଅଗ୍ରଓ୍ବାଲା। ସେ ବର୍ଜ୍ୟରୁ ଡାଏରି, ଜର୍ନାଲ, ପ୍ଲାନର, ସ୍କେଚ୍‌ବୁକ ଏବଂ କ୍ୟାଲେଣ୍ଡର ଆଦି ତିଆରି କରୁଛନ୍ତି। ଅଗ୍ରଓ୍ବାଲା ‘ରୋହାନି ରଙ୍ଗ’ ଷ୍ଟେସନେରି ବିଜ୍‌ନେସ ଆରମ୍ଭ କରିଛନ୍ତି ଓ ଉତ୍ପାଦଗୁଡ଼ିକୁ ବିକ୍ରି କରୁଛନ୍ତି। ସେ ଏଯାବତ୍‌ ୯୦୦୦ କେ.ଜି.ରୁ ଊର୍ଦ୍ଧ୍ୱ ବର୍ଜ୍ୟ କପଡ଼ାର ପୁନଃ ଉପଯୋଗ କରିସାରିଛନ୍ତି। ବର୍ଜ୍ୟ କପଡ଼ାରୁ ପ୍ରଥମେ ପେପର ତିଆରି କରାଯାଉଛି, ଯାହା ସମ୍ପୂର୍ଣ୍ଣ ରସାୟନ ମୁକ୍ତ। ଏହି ପେପରରୁ ତିଆରି ବିଭିନ୍ନ ଷ୍ଟେସନେରି ଉତ୍ପାଦଗୁଡ଼ିକ ଉପରେ ବିଭିନ୍ନ କଳାକୃତିକୁ ସ୍ଥାନିତ କରାଯାଉଛି। ଏବେ ସୁଦ୍ଧା ୧,୫୦୦ ରିମ୍‌ କାଗଜ ବ୍ୟବହାର କରି ୧୫,୦୦୦ରୁ ଅଧିକ ଉତ୍ପାଦ ପ୍ରସ୍ତୁତ କରାଯାଇଛି। ଏଥିପାଇଁ ଅଗ୍ରଓ୍ବାଲା ଜୟପୁର, ପୁଡୁଚେରୀ ଓ କଚ୍ଛରୁ ୫୦ରୁ ଅଧିକ କାରିଗରଙ୍କୁ ନିଯୁକ୍ତ କରିଛନ୍ତି। ସେ ପ୍ରଥମରୁ ୫,୦୦୦ ଟଙ୍କା ବିଜ୍‌ନେସରେ ନିବେଶ କରି ଡାଏରି ତିଆରି କରିଥିଲେ। ପରେ ଅନ୍ୟସବୁ ଉତ୍ପାଦ ବିଜ୍‌ନେସରେ ସାମିଲ କରିଚାଲିଛନ୍ତି। ସେ ବର୍ଜ୍ୟ କପଡ଼ାରୁ କାଗଜ ତିଆରି କରି ୧୦୦ଟି ବଡ଼ ଗଛ କାଟିବାକୁ ରୋକିପାରିଛନ୍ତି ଓ ପରିବେଶ ସୁରକ୍ଷା ପାଇଁ ଏହା ଉପାଦେୟ ସାବ୍ୟସ୍ତ ହୋଇପାରିଛି ବୋଲି କୁହନ୍ତି ଅଗ୍ରଓ୍ବାଲା।