ଏଇ ଭାରତରେ

ଏମିତି ଘର, ଯାହା ମାଟିରେ ରହିବ ପୁଣି ପାଣିରେ ଭାସିବ। ଏଭଳି ଏକ ଆମ୍ଫିବିୟସ (ଉଭୟ ମାଟି ଓ ପାଣିରେ ରହି ପାରୁଥିବା) ଘର ନିର୍ମାଣ କରିଛନ୍ତି କେରଳର ଦୁଇ ବନ୍ଧୁ ନନ୍‌ମା ଗିରିଶ ଏବଂ ବେନ୍‌ କେ. ଜର୍ଜ। ୨୦୧୮ରେ କେରଳରେ ପ୍ରଳୟଙ୍କରୀ ବନ୍ୟା ପରେ ଏମାନେ ଏଭଳି ଘର ନିର୍ମାଣ ଲାଗି ଯୋଜନା କରିଥିଲେ। ସେହି ବର୍ଷ ‘ନେଷ୍ଟ ଆବିଡ’୍‌ ଷ୍ଟାର୍ଟ ଅପ୍‌ ପ୍ରତିଷ୍ଠା କରି ୨୦୨୧ ସେପ୍ଟେମ୍ବରରେ ଏହାର ପ୍ରଥମ ପ୍ରତିକୃତି ନିର୍ମାଣ କରିଥିଲେ। ଏବେ ଏହାକୁ ପୂର୍ଣ୍ଣାଙ୍ଗ ରୂପ ଦେଇଛନ୍ତି। ଏକ ଭାସମାନ କଂକ୍ରିଟ ଢାଞ୍ଚା ଉପରେ ଏହାକୁ ନିର୍ମାଣ କରାଯାଇଛି। ଏହି ଘରର ନାମ ରଖିଛନ୍ତି ‘ଆମ୍ଫିବି ନେଷ୍ଟ’। ଏଭଳି ଆମ୍ଫିବିୟସ ଘର ଭାରତରେ ପ୍ରଥମେ ନିର୍ମାଣ କରିଥିବା ଏହି ଦୁଇବନ୍ଧୁ ଥିରୁଭାନନ୍ତପୁରର ବାର୍ଟନ ହିଲ୍‌ ଗଭର୍ନମେଣ୍ଟ ଇଞ୍ଜିନିୟରିଂ କଲେଜରୁ ଟ୍ରାନ୍ସଲେଶନାଲ ଇଞ୍ଜିନିୟରିଂରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି। ସେମାନେ ଏଭଳି ଘର ଅଧିକ ନିର୍ମାଣ କରିବା ଲାଗି ୧୦ ଜଣଙ୍କୁ ପୂର୍ଣ୍ଣକାଳୀନ ନିଯୁକ୍ତି ଦେବା ସହ ୩୩ ଜଣଙ୍କୁ କଲ୍‌ କନ୍‌ସଲଣ୍ଟାଟ ଭାବେ ରଖିଛନ୍ତି। ନନ୍‌ମା ଓ ବେନ୍‌ ଏବେ ଦିଲ୍ଲୀ ୟୁନିଭର୍ସିଟି ଅଫ୍‌ ଟେକ୍ନୋଲୋଜିରେ ପିଏଚ୍‌.ଡି. କରୁଛନ୍ତି।