ଏଇ ଭାରତରେ

ହୋଲିରେ ରାସାୟନିକ ରଙ୍ଗର କ୍ଷତିକାରକ ପ୍ରଭାବରୁ ରକ୍ଷା କରିବା ଲାଗି ମୁମ୍ବାଇର ଦୁଇ ଭାଇ ଗୌରାଙ୍ଗ ଓ ସୌରଭ ମୋଟ୍ଟା ଜୈବିକ ଅବିର ତିଆରି କରିଛନ୍ତି। ଭିଲ୍‌ ଆଦିବାସୀମାନଙ୍କ ଦ୍ୱାରା ପଳାଶ ଓ ଗଙ୍ଗାନଗରୀ ଗୋଲାପରୁ ଜୈବିକ ଅବିର ତିଆରି କରାଯାଉଛି। କମଳା ରଙ୍ଗର ଅବିର ପଳାଶ ଫୁଲରୁ ପ୍ରସ୍ତୁତ ହେଉଛି। ହଳଦିଆ ଅବିର ପଳାଶଫୁଲ ଓ ହଳଦୀ ମିଶାଇ କରାଯାଉଛି। ସବୁଜ ରଙ୍ଗ ବିଭିନ୍ନ ଗଛର ପତ୍ର ଓ ଫୁଲରୁ ପ୍ରସ୍ତୁତ ହେଉଛି ଏବଂ ସବୁରଙ୍ଗରେ ମକାଗୁଣ୍ଡ ମିଶାଯାଉଛି। ଏହି ଅବିରକୁ ସେମାନେ ‘ମଙ୍କ୍ସ ବୌଫି’ ବ୍ରାଣ୍ଡ୍‌ରେ ବିକ୍ରି କରୁଛନ୍ତି। ଏବେସୁଦ୍ଧା ଦୁଇଭାଇ ୪୦ଟନ୍‌ ରଙ୍ଗ ବିକ୍ରି କରିସାରିଲେଣି। ଅବିରରେ କୌଣସି କୃତ୍ରିମ ଜିନିଷ ମିିଶାଯାଇ ନ ଥିବାରୁ ଏହା ପରିବେଶ ଓ ତ୍ୱଚା ପାଇଁ ସମ୍ପୂର୍ଣ୍ଣ ସୁରକ୍ଷିତ। ଏହାକୁ ଯେ କେହି ଖାଇଲେ ବି କୌଣସି କ୍ଷତି ନାହିଁ ବୋଲି କୁହନ୍ତି ଗୌରାଙ୍ଗ। ସୌରଭ ଆଇଟି ଓ ଗୌରାଙ୍ଗ ଫାଇନାନ୍ସ କ୍ଷେତ୍ରରେ କ୍ୟାରିୟର କରିଥିଲେ ବି ସେମାନେ ପରିବେଶ ସୁରକ୍ଷା ଦିଗରେ କାର୍ଯ୍ୟ କରୁଛନ୍ତି। ଫୁଲରୁ ରଙ୍ଗ ତିଆରି କରିବା ଭିଲ୍‌ ଆଦିବାସୀଙ୍କର ଏକ ପୁରାତନ କଳା । ଦୁଇଭାଇ ମୁମ୍ବାଇରେ ‘ଜୁଲିୟସ’ ଏନ୍‌ଜିଓ ଗଠନ କରି ମହାରାଷ୍ଟ୍ର, ରାଜସ୍ଥାନ ଓ ଛତିଶଗଡ଼ରେ ଭିଲ୍‌ ଆଦିବାସୀଙ୍କର ଏହି କଳାକୁ ବଞ୍ଚାଇ ରଖିବାକୁ ପ୍ରୟାସ ଜାରି ରଖିଛନ୍ତି।