ଏଇ ଭାରତରେ

ଛତିଶଗଡ଼ର ଉଦନ୍ତି ସୀତାନଦୀ ବ୍ୟାଘ୍ର ଅଭୟାରଣ୍ୟ ବିଗତ ଦିନରେ ଶିକାରୀ ଓ ଜବରଦଖଲକାରୀଙ୍କ ଚରାଭୂଇଁ ଥିଲା। ଏବେ କିନ୍ତୁ ସେମାନଙ୍କ କବଳରୁ ଏହି ଅଭୟାରଣ୍ୟ ମୁକ୍ତ ହେବାରେ ଲାଗିଛି। ଜଣେ ବନ ଅଧିକାରୀଙ୍କ ଦ୍ୱାରା ଏହା ସମ୍ଭବ ହୋଇପାରିଛି। ଆଇଏଫ୍‌ଏସ୍‌ ଅଧିକାରୀ ବରୁଣ ଜୈନ ଏହି ସଂରକ୍ଷିତ ଜଙ୍ଗଲରେ ଉପ ନିର୍ଦ୍ଦେଶକ ଭାବେ ଫେବୃୟାରୀ ୨୦୨୨ରେ ଦାୟିତ୍ୱ ନେବା ପରେ ଜାଣିବାକୁ ପାଇଥିଲେ ଯେ ଅନେକ ଶହ ହେକ୍ଟର ଜଙ୍ଗଲ ଜମି ଜବରଦଖଲରେ ଅଛି। ଏହା ବ୍ୟତୀତ ୩୦,୦୦୦ରୁ ଊର୍ଦ୍ଧ୍ୱ ଗଛ କଟାଯାଇ ଘର ତିଆରି କରାଯାଇଛି। ପରେ ଜବରଦଖଲ ସମ୍ପର୍କିତ ତଥ୍ୟ ସାଟେଲାଇଟ ଜରିଆରେ ଜାଣିବା ପରେ ଏବେ ସୁଦ୍ଧା ସେ ୨୦୦ରୁ ଅଧିକ ଜବରଦଖଲକାରୀଙ୍କୁ ସାବାଡ଼ କରିପାରିଛନ୍ତି। ସେମାନଙ୍କ କବଳରୁ ୬୦୦ ହେକ୍ଟର ଜମି ଜବରଦଖଲ ମୁକ୍ତ କରିସାରିଲେଣି। ଏହି କାର୍ଯ୍ୟ ଲାଗି ବନ ବିଭାଗକୁ ଜବରଦଖଲକାରୀଙ୍କ ସହ ମୁହାଁମୁହିଁ ହେବାକୁ ପଡ଼ିଛି। ଏହାବ୍ୟତୀତ ଜଙ୍ଗଲରେ ସକ୍ରିୟ ଥିବା ଶିକାରୀଙ୍କୁ ମଧ୍ୟ ଦମନ କରିପାରିଛନ୍ତି ବରୁଣ। ସେ ସ୍ଥାନୀୟ ବାସିନ୍ଦାଙ୍କ ସହଯୋଗରେ ୩୨ଟି ଅଭିଯାନ କରି ୧୩୪ ଶିକାରୀଙ୍କୁ ଗିରଫ କରିବାରେ ସକ୍ଷମ ହେବା ସହ ଅନେକ ଚୋରା କାଠ ବେପାରୀଙ୍କୁ ଧରିପାରିଛନ୍ତି।