ଏଇ ଭାରତରେ

ଚାକିରି ପଛରେ ନ ଧାଇଁ ବାଉଁଶ ଉତ୍ପାଦ ବ୍ୟବସାୟରୁ ବର୍ଷକୁ ୨୫ ଲକ୍ଷ ଟଙ୍କା ରୋଜଗାର କରିବା ନିଶ୍ଚିତ ଭାବେ ଏକ ବଡ଼ ସଫଳତା । ଏହା ସମ୍ଭବ ହୋଇଛି ବିହାରର ସତ୍ୟମ୍‌ ସୁନ୍ଦରମ୍‌ଙ୍କ ଜୀବନରେ। ସେ ୨୦୨୨ରେ ‘ମଣିପୁର ବାଉଁଶ କଳାକୃତି’ ବିଜ୍‌ନେସ ଆରମ୍ଭ କରି ଏବେ ୧୫୦ ପ୍ରକାର ବାଉଁଶ ଉତ୍ପାଦ ବିକ୍ରି କରୁଛନ୍ତି। ଏସବୁ ଉତ୍ପାଦ ପରିବେଶ ଉପଯୋଗୀ। ଜିଭ ସଫା ପାତ, ଟୁଥ୍‌ବ୍ରସ, ପେନ୍‌ଷ୍ଟାଣ୍ଡଠାରୁ ଆରମ୍ଭ କରି ଲ୍ୟାମ୍ପ୍‌ ଶେଡ୍‌, ଫ୍ଲାସ୍‌, ନେକ୍‌ପିସ୍‌, ଷ୍ଟ୍ର, କଟେଲେରି, କପ୍‌, ପ୍ଲେଟ ଏବଂ ବିଭିନ୍ନ ଘରକରଣା ଜିନିଷ ବିକ୍ରି କରୁଛନ୍ତି। ଉତ୍ପାଦର ମୂଲ୍ୟ ୧୦ରୁ ୪୦,୦୦୦ ଟଙ୍କା ମଧ୍ୟରେ ରହିଛି। ଏମ୍‌ବିଏ ଶେଷ କରିବା ପରେ ସତ୍ୟମ୍‌ ରାସ୍ତାକଡ଼ରେ ୧୦ଟି ବାଉଁଶ ବୋତଲ ବିକ୍ରିରୁ ତାଙ୍କ ବିଜ୍‌ନେସ ଆରମ୍ଭ କରିଥିଲେ। ତାଙ୍କ ସାନ ଭାଇଠାରୁ ୧୫,୦୦୦ ଟଙ୍କା ଧାର ନେଇ ସେ ଏହା କରିଥିଲେ। ମାତ୍ର ଦୁଇବର୍ଷରେ ସେ ତାଙ୍କ ଉତ୍ପାଦକୁ ବିହାର ବ୍ୟତୀତ ତେଲଙ୍ଗନା, କେରଳ, ଗୁଜରାଟ, ମହାରାଷ୍ଟ୍ର ଏବଂ ଦିଲ୍ଲୀରେ ପହଞ୍ଚାଇ ପାରିଛନ୍ତି। ସତ୍ୟମ୍‌ଙ୍କ ବୟସ ଏବେ ୨୭। ମୁଙ୍ଗେର ଜିଲା ଲଖନପୁର ଗାଁରେ ତାଙ୍କ ଜନ୍ମ । ପିଲାଦିନେ ସେ ଭଲ ପଢୁ ନ ଥିଲେ ଓ ଯେଉଁ ସରକାରୀ ବିଦ୍ୟାଳୟରେ ପଢୁଥିଲେ ସେଠାରେ ତାଙ୍କୁ ‘ଜଙ୍ଗଲୀ’ ବୋଲି ପିଲାଏ କହୁଥିଲେ; ଯେଉଁଥି ପାଇଁ ସେହି ସ୍କୁଲ ଛାଡ଼ିବାକୁ ପଡ଼ିଥିଲା। ଏବେ ବ୍ୟବସାୟରେ ସଫଳତା ପାଇବା ପରେ ସେହି ସ୍କୁଲର ଅତିଥି ଭାବେ ଯୋଗଦେଇ ଜୀବନର କଥା ବଖାଣିବା ତାଙ୍କ ପାଇଁ ଗର୍ବର ବିଷୟ ବୋଲି କହନ୍ତି ସତ୍ୟମ୍‌।