ଏଇ ଭାରତରେ

ଦୃଢ ଇଚ୍ଛାଶକ୍ତି ସଫଳତାର ମନ୍ତ୍ର ବୋଲି ପ୍ରମାଣ କରିଛନ୍ତି ଆସାମର କନିକା ତାଲୁକଦାର। ସେ ସମସ୍ତ ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରି ଜିଆଖତ ଉତ୍ପାଦନ କରୁଛନ୍ତି ଓ ଏଥିରୁ ସେ ମାସକୁ ୩ ଲକ୍ଷ ଟଙ୍କା ରୋଜଗାର କରିବାକୁ ସକ୍ଷମ ହୋଇଛନ୍ତି। ୨୦୦୮ରେ କନିକାଙ୍କ ସ୍ବମୀଙ୍କର ଦେହାନ୍ତ ହେବାବେଳେ ତାଙ୍କର ୪ ମାସର ଶିଶୁକନ୍ୟାଟିଏ ଥିଲା। ସେ କନ୍ୟାଟିର ଲାଳନପାଳନ କରିବା ସହ ପରିବାର ଚଳାଇବା ପାଇଁ ପ୍ରଥମେ ସ୍ବୟଂ ସହାୟକ ଗୋଷ୍ଠୀରେ କାମ କରି ମାସକୁ ୨୦୦୦ ଟଙ୍କା ରୋଜଗାର କରୁଥିଲେ, ଯେଉଁଥିରେ ପରିବାର ଚଳାଇବା କଷ୍ଟକର ଥିଲା। ପରେ ସେ ଅଧିକ ରୋଜଗାର କରିବା ପାଇଁ କୃଷିବିଜ୍ଞାନ କେନ୍ଦ୍ରରୁ ଜିଆଖତ ପ୍ରସ୍ତୁତି ସମ୍ପର୍କରେ ପ୍ରଶିକ୍ଷଣ ନେଇ ୨୦୧୪ରେ ଖତ ଉତ୍ପାଦନ ଆରମ୍ଭ କରିଥିଲେ। ପ୍ରଥମେ ସେ ଏଥିରେ ୫୦୦ ଟଙ୍କା ନିବେଶ କରିଥିଲେ। ପ୍ରଥମ ବର୍ଷ ୮୦୦ କେଜି ଖତ ତିଆରି କରିି ତାକୁ କିଲୋ ପ୍ରତି ୧୦ ଟଙ୍କା ମୂଲ୍ୟରେ ବିକିଥିଲେ। ଏବେ ଜିଆଖତ ବେଡ୍‌ ସଂଖ୍ୟା ବୃଦ୍ଧି କରି ମାସକୁ ୩୫ ଟନ୍‌ ଖତ ପ୍ରସ୍ତୁତ କରୁଛନ୍ତି ଓ ଏଥିରୁ ପାଉଛନ୍ତି ୩ ଲକ୍ଷ ଟଙ୍କା। ଖତକୁ ସେ ବିଭିିନ୍ନ ଫାର୍ମ, କୃଷିବିଜ୍ଞାନ କେନ୍ଦ୍ର ସହିତ ଅନଲାଇନରେ ବିକ୍ରି କରୁଛନ୍ତି। କେବଳ ଏତିକି ନୁହେଁ କନିକା ଗାଁଗୁଡ଼ିକରେ ମହିଳାମାନଙ୍କୁ ଜିଆଖତ ପ୍ରସ୍ତୁତି ସମ୍ପର୍କରେ ପ୍ରଶିକ୍ଷଣ ଦେଇ ସେମାନଙ୍କୁ ଆତ୍ମନିର୍ଭରଶୀଳ କରୁଛନ୍ତି।